କଳାହାଣ୍ଡି ( ଏଟିଆର ବ୍ୟୁରୋ): ବିଲକୁ ଶୌଚ ହେବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏହି ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ଡୁଙ୍ଗୁରୀଗୁଡା ଗାଁରେ । ସୂଚନା ଅନୁସାରେ ଏହି ଗାଁର ଶଶି ଆଗ୍ର୍ରିଆ ଆଜି ସକାଳୁ ଶୋଇକି ଉଠି ପାଖ ଜଙ୍ଗଲ ପାଖକୁ ଲାଗିଥିବା କ୍ଷେତକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଏକ ଭାଲୁ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା । ତେବେ ଗାଁ ଲୋକଙ୍କ ସହାୟତାରେ କୌଣସି ପ୍ରକାରେ ସେଠାରୁ ଖସି ଆସିଥିଲେ ଶଶି ।
ପରେ ଗ୍ରାମବାସୀ ମାନେ ତାଙ୍କୁ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତାଙ୍କ ହାତ ଗୋଡ ସହିତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି । ତେବେ ଏହି ଘଟଣାକୁ ନେଇ ଏବେ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି । କାରଣ ଏହି ସପ୍ତାହକ ମଧ୍ୟରେ ଏହି ଘଟଣାକୁ ମିଶାଇଲେ ୨ ଜଣ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି । ଏନେଇ ଗ୍ରାମବାସୀ ମାନେ ବିଭିନ୍ନ ସମୟରେ ବନ ବିଭାଗ ପାଖରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକେ ଅଭଯୋଗ କରିଛନ୍ତି ।