ଜଗତସିଂହପୁର (ଏଟିଆର ବ୍ୟୁରୋ); ଯୁବକଙ୍କ ପେଟରେ ବିୟର ବୋତଲ ଭୁସି ମାରି ଦେଲେ ଦୁର୍ବୃତ୍ତ । ମୃତକ ଜଣକ ହେଲେ ରଞ୍ଜନ ପରିଡା(୩୨) । ସେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବନିପାଟ ଗାଁର ରମେଶ ପରିଡାଙ୍କ ପୁଅ । ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ୨ ଜଣ ଫେରାର ହୋଇ ଯାଇଛନ୍ତି । ତେବେ ଘଟଣା ତଦନ୍ତ ଚଳାଇଛି ପୋଲିସ ।
ପୋଲିସ ରିପୋର୍ଟ କହୁଛି ଗାଁ ମୁଣ୍ଡରେ ରଞ୍ଜନ ହନୁମାନ ମନ୍ଦିର ପ୍ରତିଷ୍ଠା କରିଛନ୍ତି । ସେ ସବୁଦିନ ଦୋକାନରୁ ଫେରିବା ବେଳେ ଠାକୁରଙ୍କୁ ମୁଣ୍ଡିଆ ମାରି ଘରକୁ ଫେରନ୍ତି । ତେବେ ବୁଧବାର ରାତିରେ ମଧ୍ୟ ୧୧ ଟାରୁ ୧୧.୩୦ ମଧ୍ୟରେ ଫେରି ହନୁମାନ ମନ୍ଦିର ପାଖରେ ଠିଆ ହୋଇଥିବା ବେଳେ ସେଠାରେ ଭୋଜି କରୁଥିବା ତିନି ଜଣ ଯୁବକଙ୍କ ସହ କୌଣସି ଏକ କଥାକୁ ନେଇ ପାଟି ତୁଣ୍ଡ ହୋଇଥିଲା । ଏଥିରେ ରାଗି ଯାଇ ନିଶାଶକ୍ତ ଅବସ୍ଥାରେ ଥିବା ଯୁବକମାନେ ରଞ୍ଜନଙ୍କ ପେଟରେ ବିୟର ବୋତଲ ଭର୍ତ୍ତି କରିଦେଇଥିଲେ । ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ତଳେ ପଡି ଛଟପଟ ହୋଇ ଜୋରରେ ପାଟିକରିବାରୁ ଗାଁ ଲୋକ ପାଟି ଶୁଣି ଆସିବା ପରେ ରଞ୍ଜନଙ୍କୁ ଉଦ୍ଧାର କରି ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ତେବେ ତାଙ୍କୁ କଟକ ଆଣୁଥିବା ବେଳେ ତ୍ରିତ୍ତୋଳଠାରେ ରଞ୍ଜନଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।