ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ମୋତେ ପାଣି ଦିଅ… । ମତେ ବ୍ରସ ଦିଅ ମୁଁ ଦାନ୍ତ ଘସିବି । ତଳୁ ସବୁ ପାଖେଇ ଯାଅ … ମୁଁ ତଳକୁ ଡେଇଁବି । ମୋ ପାଖକୁ କେହି ଆସନି… ମୁଁ ଡେଇଁବି । ଜଣେ ଯୁବକ ଆଜି ଉତ୍କଳ ବିଶ୍ୱ ବିଦ୍ୟାଳୟ ପରିଜା ଲାଇବ୍ରେରି ଛାତ ଉପର ଶୀର୍ଷକୁ ଚଢି ଏମିତି କହୁଛି । ଯାହାକୁ ଦେଖିବା ପାଇଁ ଏବେ କଲେଜ କ୍ୟାମ୍ପସରେ ଖଚା ଖଚ ଭିଡ । କୂଳପତିଙ୍କ ଠାରୁ ଆରମ୍ଭ କରି ଅଗ୍ନିଶମ କର୍ମଚାରୀ ଓ ପୁଲିସର ବଡବଡ ଅଧିକାରୀମାନେ ଯେତେ ବୁଝାଇଲେ ବି ସେ ନାରାଜ ।
କେତେ ବେଳେ ରାଗି ଯାଇ ଡେଇଁ ପଡିବି କହୁଛି ତ ପୁଣି କେତେବେଳେ ନିଜ ପ୍ୟାଣ୍ଟକୁ ଓହ୍ଲାଇ ମୁଣ୍ଡରେ ପିନ୍ଧୁଛି । ଯାହାକୁ ନେଇ ନାକେଦମ ହେଲେଣି କଲେଜ କତ୍ତୃପକ୍ଷ । ଏମିତି କି ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ତଳେ ଜାଲ ବିଛା ଯାଇଛି । ୪ ଘଣ୍ଟା ହେଲା ଯେତେ ବୁଝାଇଲେ ବି ସେ ନିଜ ଜିଦିରେ ଅଟଳ । ଯୁବକର ବ୍ୟବହାରରୁ ତାର ମସ୍ତିଷ୍କ ଖରାପ ଥିବା ଭଳି ଅନୁମାନ ହେଉଛି । ଅନ୍ୟପଟେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବା ବେଳେ ଅଜଣା ଯୁବକର ଏହି କାଣ୍ଡ ଏବେ ପ୍ରଶାସନର ଚିନ୍ତା ବଢାଇ ଦେଇଛି ।