ମାଲକାନଗିରି (ଏଟିଆର ବ୍ୟୁରୋ); ପୁଣି ତେଜିଲା ମାଓ ସଂଗଠନ । ଭିଆଇଲେ ଲଙ୍କାକାଣ୍ଡ । ଲୋକଙ୍କୁ କରାଇଲେ ଆତଙ୍କିତ । ଯାତ୍ରୀବାହୀ ବସରେ ନିଆଁ ଲଗାଇ ସାଧାରଣ ଲୋକଙ୍କ ମନରେ ଭୟଜାତ କରାଇଛନ୍ତି ମାଓବାଦୀ । ବସ ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀ ବିରୋଧ କରିବାରୁ ନିର୍ଦ୍ଧୁମ ମାଡ ମଧ୍ୟ ମାରିଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଆତଙ୍କ ଘଟିଛି ମାଓ ଅଧୁସିତ ଅଞ୍ଚଳ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସାଲିନୀଠାରେ । ବସ ପୋଡି ଦେଖିବା ପରେ ସାଧାରଣ ଲୋକଙ୍କ ମନରେ ଭୟଜାତ ହୋଇ ଯାଇଥିଲା । ପୋଲିସ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀ କମ୍ବିଂ ଅପରେଶନ ଜାରି କରିଛନ୍ତି ।
ଜାନୁଆରୀ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ପ୍ରତିବାଦ ପ୍ରତିବାଦ ସଭା ପାଳନ କରୁଛନ୍ତି । ଏଣୁ ପଞ୍ଚମ ଦିନରେ ନିଜର ସ୍ଥିତି ଜାହିର କରିଛନ୍ତି । ସୂଚନା ଅନୁଯାୟୀ ସୋମବାର ରାତିରେ ମାଲକାନଗିରି ଜିଲ୍ଲା ମାଥିଲରୁ ଯଜ୍ଞପୁର ଏକ ଘରୋଇ ବସ ଯାଉଥିଲା । ତେବେ ମାଓବାଦୀମାନେ ଏହି ବସକୁ ମହୁପଦର ପଞ୍ଚାୟତ ମୁଣ୍ଡାଗୁଡା ଗାଁ ନିକଟରେ ବସକୁ ଅଟକାଇ ଥିଲେ । ବସ ଅଟକିବା ପରେ ବସ ଚାରି ପାଖରେ ମାଓବାଦୀ ମାନେ ବସ ଚାରିପାଖରେ ଘେରି ଯାଇଥିଲେ । ଏବଂ ଯାତ୍ରୀମାନଙ୍କୁ ବାହାରକୁ ଓହ୍ଲାଇ ଦେଇଥିଲେ । ଯାତ୍ରୀମାନଙ୍କୁ ଓହ୍ଲାଉଥିବାରୁ ବସ କର୍ମଚାରୀ ଏହାକୁ ବାରଣ କରିଥିଲେ । ଏଣୁ ମାଓବାଦୀମାନେ ଏଥିରେ ରାଗି ଯାଇ ବସ ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କୁ ମାଡ ମାରିଥିଲେ । ଏହା ପରେ ସେମାନେ ଡିଜେଲ ଢ଼ାଳି ବସକୁ ପୋଡି ଦେଇଥିଲେ । ବସ ପୋଡିବା ପରେ ମାଓ ସ୍ଳୋଗାନ ଦେଇ ନିଜର ସ୍ଥିତି ଦେଖାଇଥିଲେ । କିଛି ସମୟ ସେଠାରେ ରହିବା ପରେ ଚାଲି ଯାଇଥିଲେ ମାଓବାଦୀ । ମାତ୍ର ଘଟଣାସ୍ଥଳରେ ଥିବା ଯାତ୍ରୀମାନେ ସମ୍ପୂର୍ଣ୍ଣ ଭାବରେ ଭୟଭୀତ ହୋଇଯାଇଥିବା କହିଛନ୍ତି । କାରଣ ସେହି କିଛି ସମୟ ଜୀବନ ମରଣ ସହ ସଂଗ୍ରାମ କଲା ଭଳି ଅନୁମାନ କରୁଥିଲେ । କେତେବେଳେ ଯେ ଜୀବନ ଚାଲିଯିବ ତାହା ମନରେ ଭୟ ଲାଗୁଥିଲା ବୋଲି ଯାତ୍ରୀମାନେ କହିଛନ୍ତି ।
ରିପୋର୍ଟ ମୁତାବକ ପୋଲିସ ଏବଂ ସରକାରଙ୍କୁ ବିରୋଧ କରି ନକ୍ସଲମାନେ ଗାଁ ଗାଁ ବୁଲି ପ୍ରଜାମେଳି କରି ଲୋକଙ୍କୁ ମାଓ ସଂଗଠନ ସହ ଯୋଡି ହେବା ପାଇଁ ପ୍ରବର୍ତ୍ତାଉଛନ୍ତି । ସରକାରଙ୍କ ଅକ୍ଷମତା ଏବଂ ପୋଲିସର କାଢ଼ୁଆ ପଣ ପାଇଁ ଲୋକ ଅସୁବିଧାର ସମୁଖୀନ ହେଉଛନ୍ତି । ଏପରି ବିଭିନ୍ନ କଥା କହି ଲୋକଙ୍କୁ ଗାଁ ଗାଁ ବୁଲି ବୁଝାଉଛନ୍ତି ମାଓବାଦୀ । ସେପଟେ ଜାନୁଆରୀ ୨୫ରୁ ୨୮ ମାଓବାଦୀମାନେ ପ୍ରତିବାଦ ସଭା ପାଳନ କରୁଛନ୍ତି । ମୁଖ୍ୟତଃ ଏମାନେ କେନ୍ଦ୍ର ସରକାରଙ୍କ ସମାଧାନ ଯୋଜନାକୁ ନକ୍ସଲ ବିରୋଧ କରୁଛନ୍ତି । ଏଣୁ ଏମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ଡାକରା କାରଣରୁ ସରକାରୀ ବସ ବନ୍ଦ ରହିଛି । ମାତ୍ର ଘରୋଇ ବସ ଚଳାଚଳ ରହିଛି । ଫଳରେ ବନ୍ଦ ଡାକରାର କୌଣସି ପ୍ରଭାବ ପଡିନାହିଁ ।ଏଣୁ ରାଗରେ ମାଓବାଦୀମାନେ ଘରୋଇ ବସରେ ନିଆଁ ଲଗାଇ ପୋଡି ଦେଇଛନ୍ତି ।