ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ରାଜ୍ୟରେ ପିଲାଙ୍କ ପାଠପଢାରେ ବାଧା ଉପୁଜିଛି । ସ୍କୁଲ ବନ୍ଦ ରହିଛି କିନ୍ତୁ ଅନଲାଇନ ମାଧ୍ୟମରେ ପିଲାଙ୍କର ପାଠପଢା ହେଉଥିଲେ ମଧ୍ୟ ଛାତ୍ରଛତ୍ରୀମାନେ ସେମାନଙ୍କର ପରୀକ୍ଷାକୁ ନେଇ ଚିନ୍ତାରେ ଅଛନ୍ତି । ଏହାରି ମଧ୍ୟରେ ପରୀକ୍ଷାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟିକରଣ ଦେଇଛନ୍ତି ।
ଚଳିତବର୍ଷ ବିଳମ୍ବରେ ହୋଇପାରେ ମାଟ୍ରିକ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା । ସର୍ବନିମ୍ନ ୩ ମାସ ପାଠପଢା ହେବା ପରେ ପରୀକ୍ଷା ବ୍ୟବସ୍ଥା କରାଯିବ । ଯଦି ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ କରାଯାଏ ତେବେ ହୁଏତ ପରୀକ୍ଷା ବନ୍ଦ କରାଯାଇପାରେ କିନ୍ତୁ ରାଜ୍ୟ ସରକାର ନିଜେ ଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ । ସେହିପରି ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଡିସେମ୍ବର ୩୧ ପରେ ସ୍କୁଲ ଖୋଲିବା ନେଇ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।