ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠାରୁ ମାଟ୍ରିକ ପରୀକ୍ଷାର ଖାତା ଦେଖା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଚଳିତବର୍ଷ ୫ଲକ୍ଷ ୬୦ହଜାର ୯୦୫ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ତେବେ ପରୀକ୍ଷା ଖାତାଗୁଡିକୁ ରାଜ୍ୟର ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଦେଖିବେ । ଚଳିତବର୍ଷ ଖାତା ଦେଖିବା ନିମନ୍ତେ ୧୬ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟୋଜିତ କରାଯାଇଛି । ମୂଲ୍ୟାୟନ ସମୟରେ ଯେପରି କୌଣସି ପ୍ରକାରର ତ୍ରୁଟି ବିଚ୍ୟୁତି ନଘଟିବ ସେଥିପାଇଁ ସେଥିପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି ।
ଖାତା ଦେଖିବା ସମୟରେ ସରକାରଙ୍କ ପକ୍ଷରୁ କିଛିଟା ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଏହି ଗାଇଡ ଲାଇନ ଅନୁଯାୟୀ ପ୍ରତ୍ୟେକ ଟେବୁଲ ମଧ୍ୟରେ ନିର୍ଦ୍ଧିଷ୍ଟ ଦୂରତା ରହିବ । ଶିକ୍ଷକ ଶିକ୍ଷୟତ୍ରୀମାନେ ୩ଟି ପର୍ଯ୍ୟାୟରେ ପରୀକ୍ଷାକେନ୍ଦ୍ରକୁ ଯିବେ । ଭିନ୍ନ ଭିନ୍ନ ସିଫ୍ଟିରେ ମୂଲ୍ୟାୟନକାରୀମାନେ ପହଞ୍ଚିବେ । ସକାଳ ୮ଟା ୩୦, ୯ଟା ୩୦ ଓ ୧୦ଟା ୩୦ରେ ମୂଲ୍ୟାୟନକାରୀମାନେ ପହଞ୍ଚି ପରୀକ୍ଷାଖାତାର ମୂଲ୍ୟାୟନ କରିବେ । ତେବେ ନିର୍ଦ୍ଧାରିତ ସମୟରେ ଏବର୍ଷ ବି ରେଜଲ୍ଟ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।