ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରଥମ ଦିନରେ ଫେଲ ମାଇଲା ଗଣଶିକ୍ଷା ବିଭାଗର ସବୁ ପରିଶ୍ରମ । ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନପତ୍ର । ପରୀକ୍ଷାର ୧ଘଣ୍ଟା ନପୂରୁଣୁ ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନପତ୍ର । କଳାହାଣ୍ଡିରୁ ଆସିଛି ଏପରି ଅଭିଯୋଗ । ଶିକ୍ଷା ବିଭାଗର ସବୁ ପରିଶ୍ରମକୁ ପାଣିରେ ପକାଇ ଭାଇରାଲ ହେଲା ପରୀକ୍ଷା ପ୍ରଶ୍ନପତ୍ର । ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏହା ସୁପରିଚାଳନା କରିବା ସହ ପ୍ରଶ୍ନପତ୍ର ଭାଇରାଲ ନହେବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା । ସବୁ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ଲଗାଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ହେଲେ ଏତେ ସବୁ ସତେ ପରୀକ୍ଷା ପ୍ରଶ୍ନପତ୍ର କିପରି ମୋବାଇଲ ଠାରୁ ମୋବାଇଲକୁ ଘୂରି ବୁଲୁଛି ତାହାକୁ ନେଇ ସସପେନ୍ସ ଜାରି ରହିଛି ।
ପରୀକ୍ଷାର ପ୍ରଥମ ଦିନରେ ପରୀକ୍ଷାର୍ଥୀମାନେ ମାତୃଭାଷା ଓଡିଆରେ ପରୀକ୍ଷା ଦେଉଥିଲେ । ଚଳିତ ବର୍ଷ ମୋଟ ୫ଲକ୍ଷ ୬୦ହଜାର ୯୦୫ଜଣ ପରୀକ୍ଷାର୍ଥୀ ୨ହଜାର ୮ଶହ ୮୮ଟି ପରୀକ୍ଷା କେନ୍ଦ୍ର ପରୀକ୍ଷା ଦେଉଥିଲେ । ପରୀକ୍ଷାକୁ ସୁପରିଚାଳନା କରିବା ପାଇଁ ଅନେକ ପଦକ୍ଷେପ ନିଆଯିବା ସତ୍ୱେ ତାହା ଚୁଲିମୁଣ୍ଡକୁ ଗଲା ଭଳି ଲାଗୁଛି । ତେବେ ଏ ସମସ୍ତ ଖବର ସମ୍ପର୍କରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି, ତାଙ୍କ ପାଖରେ ପ୍ରଶ୍ନପତ୍ର ଭାଇରାଲ ନେଇ କୌଣସିବି ସୂଚନା ନାହିଁ । ଯଦି ଏହା ହୋଇଥାଏ ତେବେ ଏହା ଉପରେ ତଦନ୍ତ କରାଯିବା ସହ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତି ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।