ମୟୁରଭଞ୍ଜ ( ଏଟିଆର ବ୍ୟୁରୋ): ପୂର୍ବତନ ଜିଲ୍ଲା ବିଜେପି ସଭାପତି ତଥା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ବାରିପଦାସ୍ଥିତ ବାସଭବନ ଉପରେ ଅଚାନକ ପୁଲିସ୍ ଚଢ଼ଉ କରିଥିଲା। ମୋରଡ଼ାରୁ ବିଜେପିର ଦଳୀୟ ପ୍ରାର୍ଥୀ ହୋଇଥିବା ତଥା ଜିଲ୍ଲା ବିଜେପିର ନେତା କୃଷ୍ଣଚନ୍ଦ୍ର ବିରୋଧରେ ରାସଗୋବିନ୍ଦପୁର ତହସିଲଦାର ପ୍ରଭାତ କୁମାର ମହାପାତ୍ର ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ଶ୍ରୀ ମହାପାତ୍ରଙ୍କ ବାସଭବନରେ ପୋଲିସ ଗିରଫ କରିବାକୁ ଚଢ଼ଉ ହୋଇଥିବା ଜଣାପଡ଼ିଛି। ତେବେ ପୁଲିସ ଚଢାଉ ସମୟରେ ସେ ଘରେ ଉପସ୍ଥିତ ନଥିବା ଜଣାପଡ଼ିଛି। ତଥାପି ତାଙ୍କୁ ଗିରଫ କରିବାକୁ ରାତି ପର୍ୟ୍ୟନ୍ତ ବିଜେପି ନେତାଙ୍କ ବାସଭବନ ଆଗରେ ପୁଲିସ୍ ମୃତୟନ ଥିବା ଦେଖିବାକୁ ମିଳିଛି।
ରାସଗୋବିନ୍ଦପୁର ଥାନା ଅଧିକାରୀ ଲୋପାମୂଦ୍ରା ନାୟକଙ୍କ କହିବା ଅନୁସାରେ ଚଳିତ ମାସ ୭(ମଙ୍ଗଳବାର) ଦିନ ରାସଗୋବିନ୍ଦପୁର ତହସିଲଦାରଙ୍କ କାର୍ୟ୍ୟାଳୟରେ ଶ୍ରୀ ମହାପାତ୍ର ଏବଂ ତାଙ୍କର କିଛି ଦଳୀୟ ସମର୍ଥକ ପ୍ରବେଶ କରି ତହସିଲଦାରଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହ ବାନ୍ଧି ପିଟିବା ମାରିବା ଆଦିର ଧମକ ଚମକ ଦେବା, କୋଭିଡ୍-୧୯ ମାଗଦର୍ଶୀକାକୁ ଉଲ୍ଲଙ୍ଘନ କରିବା ଆଦିକୁ ନେଇ ତହସିଲଦାର ପ୍ରଭାତ କୁମାର ମହାପାତ୍ର ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଆଇପିସି ଧାରା ୫୧ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ଅଧିନିୟମ, ୫୦୬, ୨୯୪, ୩୫୩ ଆଧାରରେ ମାମଲା ରୁଜୁ କରାଯାଇଛି।