ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବେଶ ହସଖୁସିରେ ଘରୁ ଯାଇଥିଲା । କହିଥିଲା ଯାଉଛି ସାଙ୍ଗଙ୍କ ସହ ହୋଲି ଖେଳିବା ଲାଗି । ହୋଲି ସିନା ଖେଳିଲା ହେଲେ ଆଉ ଘରକୁ ଫେରିଲା ନାହିଁ । ସବୁଦିନ ଲାଗି ଆମକୁ ଛାଡି ଚାଲିଗଲା । ବାସ ଏତିକି କହିବା ପରେ ଭୋ ଭୋ ହୋଇ କାନ୍ଦି ପକାଇଲେ ବଇରିଲୋଚନଙ୍କ ମା । ହୋଲି ପାଇଁ ସବୁଠି ଖୁସିର ମାହୋଲ ଥିବା ବେଳେ ବଇରିଲୋଚନଙ୍କ ଘରେ କିନ୍ତୁ ପଡିଥିଲା କାନ୍ଦ ବୋବାଳି । କାରଣ ଗାଧୋଇବାକୁ ଯାଇ କେନାଲରେ ବୁଡି ସବୁଦିନ ଲାଗି ଆଖି ବୁଜିଛନ୍ତି ବଇରିଲୋଚନ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଭୁବନେଶ୍ୱର ନିଳଦ୍ରୀବିହାରର ସୀତାନାଥ ବସ୍ତିରେ । ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରେ ଏମବିଏ ଛାତ୍ର ଥିଲେ ବଇରିଲୋଚନ ସାହୁ । ବୟସ ମାତ୍ର ୨୨ ।
ମିଳିଥିବା ରିପୋର୍ଟ ଅନୁସାରେ, ସାଙ୍ଗମାନଙ୍କ ସହ ବଇରିଲୋଚନ କାଲି ହୋଲି ଖେଳୁଥିଲେ । ଖେଳ ସରିବା ପରେ ଗାଧୋଇବା ଲାଗି ସେମାନେ ବାରଙ୍ଗ କେନାଲକୁ ଯାଇଥିଲେ । ହଠାତ ସେହି ସମୟରେ ସେ ପାଣିରେ ବୁଡି ଯାଇଥିଲେ । ଅଭିଯୋଗ ହୋଇଛି ଘଟଣା ସମ୍ପର୍କରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ଉଚିତ ସମୟରେ କୌଣସି କର୍ମଚାରୀ ପହଁଚିନଥିଲେ । ପୁଲିସ ବି ବହୁ ବିଳମ୍ବରେ ପହଁଚିଥିଲା । ଅଥଳ ପାଣି ଦେଖି ପୁଲିସ ବି ଉଦ୍ଧାର କରିବାକୁ ମନ ବଳାଇ ନଥିଲା । ଶେଷରେ ସ୍ଥାନୀୟ ଲୋକ ବହୁ ଖୋଜାଖୋଜି କରି ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ବଇରିଲୋଚନଙ୍କୁ କଟକର ଏକ ଘରୋଇ ହସପିଟାଲକୁ ନିଆଯାଇଥିଲା । କିନ୍ତୁ ଭାଗ୍ୟର ବିଡ଼ମ୍ବନା ସେତେବେଳକୁ ବହୁ ବିଳମ୍ବ ହୋଇ ସାରିଥିଲା । ଏହି ଘଟଣା ଏବେ ପୂରା ବସ୍ତିରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।