ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣି ନଜରକୁ ଆସିଲା କଙ୍ଗାରୁ କୋର୍ଟ । ରାସ୍ତା ମଝିରେ ନାବାଳକଙ୍କୁ ଲଣ୍ଡା କରି ନିର୍ଦ୍ଧୁମ ଛେଚିଲେ ଲୋକ । ତେବେ ମାଡ ମାରି ମନ ଶାନ୍ତି ହେଲାନି ଯେ ଶେଷରେ ବାରିକ ଡାକି ଲଣ୍ଡା କଲେ ଉତ୍ୟକ୍ତ ଲୋକ । ନାବାଳକ ଜଣକ ମୋବାଇଲ ଚୋରି କରିନେଉଥିବା ସମୟରେ ଧରା ପଡିଥିଲା । ଏଣୁ ତା ଉପରେ ରାଗି ଉତ୍ୟକ୍ତ ଯୁବକମାନେ ଏଭଳି ଉନ୍ମୁକ୍ତକାଣ୍ଡ ଘଟାଇଥିବା ଜଣା ପଡିଛି । ତେବେ ଏହି ଦୃଶ୍ୟ କୌଣସି ଅପହଞ୍ଚ ଅଞ୍ଚଳ କିମ୍ବା ନିପଟ ମଫସଲ ଅଞ୍ଚଳର ନୁହେଁ । ବରଂ ଶିକ୍ଷିତ ସହର ତଥା ଦେଶର ନମ୍ବର ୱାନ ସ୍ମାର୍ଟ ସିଟି ଭୁବନେଶ୍ୱରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣା ଘଟିବା ପରେ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଛି ।
ଭୁବନେଶ୍ୱର ଅନ୍ତର୍ଗତ ବରଗଡ ଥାନା ମାଛ ମାର୍କେଟରେ ଯୁବକଙ୍କ ଠାରୁ ମୋବାଇଲ ଛଡାଇ ପେରାର ହୋଇ ଯାଉଥିଲା ନାବାଳକ । ଯୁବକ ପାଟିକରି ଚିକ୍ରାର କରିବାରୁ ସ୍ଥାନୀୟ ଲୋକମାନେ ଆସି ନାବାଳକକୁ କାବୁ କରି ନେଇଥିଲେ । ଏହାପରେ କିଛି ଯୁବକ ନାବାଳକକୁ ଆଖଇବୁଜା ମାଡ ମାରିଥିଲେ । ଶେଷରେ ମନ ଶାନ୍ତି ହେଲାନି ଯେ ବାରିକ ଡାକି ନାବାଳକକୁ ଲଣ୍ଡା କରିଥିଲେ । ତେବେ ଏହି ଘଟଣାକୁ ଦେଖି ଲୋକମାନେ ମନୋରଞ୍ଜନ କରୁଥିଲେ ସତ କିନ୍ତୁ କେହି ବି ପ୍ରତିବାଦ କରିନଥିଲେ । ବରଂ କିଛି ଲୋକ ଲଣ୍ଡା କରୁଥିବା ସମୟର ଭିଡିଓ ରେକଡିଂ କରୁଥିଲେ । ତେବେ ଏହି ଭିଡିଓ ଭାଇରାଲ ହେଲେ କାଳେ ଆଇନକୁ ହାତକୁ ନେଇଥିବା ଯୁବକମାନେ ଦୋଷୀ ହେବେ ଏଣୁ ସୋମାନେ ଭିଡିଓ ରେକଡିଂ କରୁଥିଲା ଲୋକଙ୍କୁ ମନା କରିଥିଲେ । ଏବଂ ମୋବାଇଲ ଛଡାଇ ଆଣିଥିଲେ । ପରେ ନାବାଳକକୁ ଲଣ୍ଡା କରି ଘରକୁ ଛାଡିଦେଇଥିଲେ ଯୁବକମାନେ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ଯୁବକମାନେ କିଏ? ଏମାନେ କଣ ପାଇଁ ଆଇନକୁ ହାତକୁ ନେଲେ? ପୋଲିସକୁ କଣ ଏହି ଖବର ଜଣା ନଥିଲା? ନାଁ ପୋଲିସ ଜାଣି ମଧ୍ୟ ଅଜଣା ହୋଇ ରହିଥିଲା । କାରଣ ଘଟଣା ଘଟିବାର ବହୁ ସମୟ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନାହିଁ । ଏଣୁ ପୋଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଠି ହୋଇଛି । ସେପଟେ ପୋଲିସ ପାଖରେ ବହୁ ଖବର ପହଁଞ୍ଚୁଥିଲେ ମଧ୍ୟ ପୋଲିସ ସମାଧାନ କରୁନଥିବାରୁ ଯୁବକମାନେ ବାଧ୍ୟ ହୋଇ ଆଇନକୁ ନେଇଥିବା ଚର୍ଚ୍ଚା ହେଉଛି ।
ସବୁବେଳେ ଜନତାଙ୍କ ସେବାରେ ଥିବା ପୋଲିସ କଣ ଶୋଇ ପଡିଛି କି? ନାଁ ସବୁ ଜାଣି ଅଜଣା ଭଳି ଅଭିନୟ କରୁଛି ପୋଲିସ? ତେବେ ଏହି ଘଟଣାରେ କୌଣସି ଅଭିଯୋଗ ହୋଇ ନାହିଁ । ମାତ୍ର ମାନବାଧିକାର କର୍ମୀ ଅନୁପ ପରିଡ଼ା ରାଜ୍ୟ ମାନବାଧିକାର କମିସନଙ୍କୁ ଏନେଇ ଅଭିଯୋଗ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ନାବାଳକ ମୋବାଇଲ୍ ଚୋରି କରିବା ଅଭିଯୋଗରେ ପୁଲିସ ଜିମା ଦିଆଯାଇ ପାରିଥାଆନ୍ତା। କିନ୍ତୁ ସମସ୍ତ ମାନବିକତାକୁ ଜଳାଞ୍ଜଳି ଦେଇ ଏଭଳି କାଣ୍ଡ ଭିଆଇବା ଆଦୌ ଗ୍ରହଣୀୟ ନୁହେଁ। ପୁଲିସ ଉପରୁ ଜନସାଧାରଣଙ୍କ ଭରସା ତୁଟି ଯାଉଥିବାରୁ ଏଭଳି ଘଟଣାର ପୁନରାବୃତ୍ତି ହେଉଛି। ତେବେ ଲୋକେ ଆଇନକୁ ହାତକୁ ନେବାର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି।