ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱରରେ ଏବେ କଲ୍ୟାଣ ମଣ୍ଡପ ଗୁଡିକ ପାଇଁ ହେବ ନୂଆ ଗାଇଡଲାଇନ୍ । ବିଏମସି ପକ୍ଷରୁ ଜାରି ହେବ ଏହି ଗାଇଡଲାଇନ୍ ।
ଭୁବନେଶ୍ୱରରେ ଦିନକୁ ଦିନ କଲ୍ୟାଣ ମଣ୍ଡପ ବଢିବାରେ ଲାଗିଛି । ବିଭିନ୍ନ ଆବାସିକ ସ୍ଥାନରେ ମଧ୍ୟ ତିଆରି ହେଉଛି କଲ୍ୟାଣ ମଣ୍ଡପ । ଲୋକ ବିଡିଏରୁ ଘର କରିବା ପାଇଁ ପ୍ଳାନ ନେଉଛନ୍ତି କିନ୍ତୁ ଖୋଲିଛନ୍ତି କଲ୍ୟାଣ ମଣ୍ଡପ । ବିଏମସିକୁ ଆବାସିକ ଘର ହିସାବରେ ହାଉସ ହୋଲଡିଂ ଟ୍ୟାକ୍ସ ଦେଇ ବେଧଡକ ଚଳାଉଛନ୍ତି କଲ୍ୟାଣ ମଣ୍ଡପ ।
ଏହି ସବୁ ସମସ୍ୟାକୁ ଆଖିରେ ରଖି ବିଏମସି ନୂଆ ଗାଇଡଲାଇନ୍ ଜାରି କରୁଛି । ଯେଉଁ କଲ୍ୟାଣ ମଣ୍ଡପ ମାଲିକ ମାନେ ବିନା ଟ୍ରେଡ ଲାଇସେନ୍ସରେ କଲ୍ୟାଣ ମଣ୍ଡପ ଚଲାଉଛନ୍ତି ସେମାନଙ୍କୁ ଗୋଟିଏ ମାସର ମହଲତ ଦିଆଯିବ ଭିତ୍ତିଭୂମି ସଜାଡିବା ପାଇଁ । ଏହାପରେ ଗାଇଡଲାଇନ୍ କୁ ଅବମାନନା କଲେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏବଂ ଦରକାର ପଡିଲେ କଲ୍ୟାଣ ମଣ୍ଡପକୁ ସିଲ୍ ମଧ୍ୟ କରାଯିବ ।
କେବଳ ଲାଇସେନ୍ସ ନୁହେଁ କଲ୍ୟାଣ ମଣ୍ଡପ ଗୁଡିକର ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ଓ ପାର୍କିଙ୍ଗ ବ୍ୟବସ୍ଥା ମଧ୍ୟ ପରଖା ଯିବ । ବର୍ତ୍ତମାନ ଭୁବନେଶ୍ୱରରେ ୧୦୦ରୁ ଅଧିକ କଲ୍ୟାଣ ମଣ୍ଡପ ଅଛି ଏବଂ ଏହା ଦିନକୁ ଦିନ ବଢିବାରେ ଲାଗିଛି ।