ଭଦ୍ରକ,(ଏଟିଆର ବ୍ୟୁରୋ): ଷ୍ଟାଡିୟମ ନିର୍ମାଣକୁ ନେଇ ରକ୍ତାକ୍ତ ସଂଘର୍ଷ । ଗାଁ ସରପଞ୍ଚଙ୍କ ପୁଅ ଓ ତାଙ୍କ ସମର୍ଥକଙ୍କ ଛୁରାମାଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗୋହିରାଣୀ ଗାଁରେ ।
ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଲୋକନାଥ ସେଠି । ସେହିପରି ଆହତ ଦ୍ୱୟ ହେଲେ ଅନିଲ ଓ ଅମୁଲ୍ୟ ସେଠି । ପୁଲିସ ଲୋକନାଥଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ହସପିଟାଲ ପଠାଇଥିବା ବେଳେ ଆହତଦ୍ୱୟ ଏବେ ବି ମେଡିକାଲ ବେଡରେ ପଡି ରହିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ସୁରକ୍ଷା ଦୃଷ୍ଟି କୋଣରୁ ଗାଁ ସମେତ ହସପିଟାଲରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ରିପୋର୍ଟ ଅନୁସାରେ, ଗୋହିରାଣୀ ଗାଁରେ ମିିନିଷ୍ଟାଡିୟମ କରାଯିବା ନେଇ ଅନୁମତି ମିଳିଥିଲା । ଏଥିପାଇଁ ୩ଲକ୍ଷ ଟଙ୍କାର ୱାର୍କ ଅର୍ଡର ମଧ୍ୟ ମଞ୍ଜୁର ହୋଇଥିଲା । ତେବେ ଏହାକୁ ବିରୋଧ କରୁଥିଲେ ସରପଞ୍ଚଙ୍କ ପୁଅ ଓ ତାଙ୍କ ସମର୍ଥକମାନେ । ତେବେ ଗୁରୁବାର ଅନିଲ ଓ ତାଙ୍କ ସମ୍ପର୍କୀୟମାନେ ଷ୍ଟାଡିୟମର କାମ କରୁଥିବା ବେଳେ ଅଚାନକ ସେଠାରେ ସରପଞ୍ଚଙ୍କ ପୁଅ ଓ ତାଙ୍କ ସମର୍ଥକମାନେ ପହଞ୍ଚି ପ୍ରଥମେ ପାଟିତୁଣ୍ଡ କରିବା ପରେ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି । ତେବେ ଏହି କଥାକୁ ଅସ୍ୱୀକାର କରିଛନ୍ତି ସରପଞ୍ଚଙ୍କ ପୁଅ । ତେବେ ସତ କଣ’ ସେନେଇ ଅଧିକ ତଦନ୍ତ ଚଳାଇଛି ପୁଲିସ । ଖୁବ ଶୀଘ୍ର ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ପୁଲିସ କହିଛି ।