ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିରୋଧୀଙ୍କର ହଟଗୋଳ ଯୋଗୁଁ ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିବା ବେଳେ ପରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ବିଜେଡି ସଭ୍ୟ ଉମାକାନ୍ତ ସାମନ୍ତରାୟଙ୍କ ଏକ ଲିଖିତ ପ୍ରଶ୍ନରେ ସମାଜିକ ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ରାଜ୍ୟରେ ୧୨.୪୪ ଲକ୍ଷ ଭିନ୍ନକ୍ଷମ ରହିଛନ୍ତି । ୨୦୧୧ ଜଣଗଣନା ଅନୁଯାୟୀ ରାଜ୍ୟରେ ୧୨ ଲକ୍ଷ ୪୪ହଜାର ୪୦୨ଜଣ ଭିନ୍ନକ୍ଷମ ରାଜ୍ୟରେ ରହିଛନ୍ତି ।
ତେବେ ସେମାନଙ୍କୁ ୨୧ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ୧୦୨ଟି ସ୍ୱତନ୍ତ୍ର ବିଦ୍ୟାଳୟ ଓ ୧ଟିଏ ମହାବିଦ୍ୟାଳୟ ଶିକ୍ଷା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳନା କରାଯାଉଛି । ଅନ୍ୟପଟେ ସେମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ୧୯ଟି ବେସରକାରୀ ସଂସ୍ଥାକୁ ଧନ୍ଦାମୂଳକ ତାଲିମ ପ୍ରଦାନ ନିମିତ୍ତ ନିୟୋଜିତ କରାଯାଇଛି । ସେହିପରି ୪ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ସେମାନଙ୍କ ନିଯୁକ୍ତି ନିମନ୍ତେ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ସେମାନଙ୍କ ଆୟ ବୃଦ୍ଧି ଲାଗି ସ୍ୱୟଂ ସହାୟତା ଗୋଷ୍ଠୀ ଗଠନ କରାଯାଇ ରିହାତି ଶୁଳ୍କ ହାରରେ ଋଣ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ।