ଭୁବନେଶ୍ୱର(ଏଟିଆର ବ୍ୟୁରୋ):କେତେ ସୁରକ୍ଷିତ ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର । ପ୍ରଶାସନ ଓ କମିସନରେଟ ପୋଲିସ ଦ୍ୱାରା ସବୁବେଳେ ନାରା ଦିଆଯାଉଛି ଯେ ରାତି ସାରା ପୋଲିସ ପେଟ୍ରୋଲିଂ କରୁଛି । ହେଲେ ଭୁବନେଶ୍ୱରରେ ଦିନ କୁ ଦିନ ଅପରାଧୀକ ମାମଲା ବଢିବାରେ ଲାଗିଛି । ବେଧଡକ ନିଶା କାରବାର ହେଉଛି । ଖାଲି ସେତିକି ନୁହେଁ କମିଶନରେଟ ପୋଲିସ କାର୍ଯ୍ୟାଳୟ ଠାରୁ ମାତ୍ର ୫୦୦ ମିଟର ଦୂରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୃତ୍ତ ମାନେ ।
ସୂଚନା ଅନୁସାରେ ଗତକାଲି ରାତିରେ ପି.ଆକାଶ ଦୋରା ନାମକ ଜଣେ ଯୁବକଙ୍କୁ ରାତି ପ୍ରାୟ ୧୦ଟା ବେଳେ କିଛି ଯୁବକ ଭୁଜାଲି ଓ ଖଣ୍ଡାରେ ଆକ୍ରମଣ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ଏହି ଘଟଣା ଘଟିଛି କମିଶନରେଟ ପୋଲିସ ଅଫିସ ପାଖରେ ଥିବା ଗ୍ରୀଡକୋ କଲୋନୀରେ । ଆକାଶ କାଲି ଗ୍ରୀଡକୋ କଲୋନୀରେ ଥିବା ଏକ ପଡିଆ ନିକଟରେ ଠିଆ ହୋଇଥିଲେ । ଏହି ସମୟରେ ପାଖାପାଖି ୧୫ଟି ବାଇକରେ କିଛି ଯୁବକ ମାନେ ଆସି ଆକାଶଙ୍କ ଉପରକୁ ଆକ୍ରମଣ କରିଥିଲେ । ଆକାଶଙ୍କ ହାତ , ଗୋଡ ଓ ଶରୀରରେ ୧୦ରୁ ଆଧିକ ଜାଗାରେ ଗଭୀର ଚୋଟ ବାଜିଛି । ଆକାଶଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ମାନେ ଦୁର୍ବୃତ୍ତଙ୍କୁ ଗୋଡାଇବାରୁ ସେମାନେ ସେଠାରୁ ପଳାଇଥିଲେ ।
ତେବେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଲୋକ ମାନଙ୍କ ହାବୁଡରେ ପଡିଯାଇଥିଲା । ଲୋକ ମାନେ ତାକୁ ନିସ୍ତୁକ ମାଡ ମାରିଛନ୍ତି । ଖବର ପାଇ ଶହିଦ ନଗର ପୋଲିସ ସେଠାରେ ପହଞ୍ଚି ଆକାଶଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହ ଲୋକଙ୍କ ହାବୁଡରେ ପଡିଥିବା ଯୁବକଙ୍କୁ ଗିରଫ କରିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଲି ଘଟଣା ଘଟିଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି । ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।