କଟକ(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ଛକ ଉପରେ ଚେକିଙ୍ଗ, ନାଇଟ ପେଟ୍ରୋଲିଂ ମଧ୍ୟ କରାଯାଉଛି । ତଥାପି ଅପରାଧିକ ମାମଲା ବଢିବାରେ ଲାଗିଛି । ଗତ କାଲି ବନ୍ଧୁକ ଦେଖାଇ ୨ ମଦ ଦୋକାନ କର୍ମଚାରୀଙ୍କ ଠାରୁ ୪ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଛି । ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ରିଷିପଡା ଛକ ନିକଟରେ ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ରିଷିପଡା ଛକ ନିକଟରେ ଥିବା ମଦ ଦୋକାନ ବନ୍ଦ କରି ୨ ଜଣ କର୍ମଚାରୀ ଘରକୁ ଫେରୁଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କୁ ଅଟକାଇ ଥିଲେ । କର୍ମଚାରୀ ମାନେ ଅଟକିବା ପରେ ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ସେମାନଙ୍କୁ ଟଙ୍କା ମାଗିଥିଲେ ଓ ତାଙ୍କ ପାଖରେ ଥିବା ୪ ଲକ୍ଷ ୬୦ହଜାର ଟଙ୍କା ନେଇ ସେଠାରୁ ଫେରାର ହୋଇଯାଇଥିଲେ । ଏନେଇ କର୍ମଚାରୀ ମାନେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।