ପୁରୀ ( ଏଟିଆର ବ୍ୟୁରୋ): ପରିବେଶ ପ୍ରଦୂଷଣ ବର୍ତ୍ତମାନ ଆମ ସମସ୍ତଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି । ଆଉ ସବୁଠାରୁ ବେଶି ମୁଣ୍ଡ ବିନ୍ଧାର କାରଣ ସମୁଦ୍ର ବେଳାଭୂମି । ଯାହା ଓଡିଶା ପର୍ଯ୍ୟଟନ ସ୍ଥଳର ଏକ ପ୍ରମୁଖ ଅଂଶ । ତେବେ ଏହି ବେଳାଭୂମିକୁ ସ୍ୱଚ୍ଛ ସୁନ୍ଦର ରଖିବା ପାଇଁ ପୁରୀ ପ୍ରଶାସନ ପକ୍ଷରୁ କରାଯାଇଛି ଏକ ଅଭିନବ ପ୍ରୟାସ । ବସ୍ତି ଅଞ୍ଚଳରେ ସବୁଦ୍ର ବେଳାଭୂମିକୁ ସଫା ରଖିବା ପାଇଁ ଆରମ୍ଭ ହୋଇଛି “ମୋ ବିଚ’’ କାର୍ଯ୍ୟକ୍ରମ ।
ପୁରୀ ପେଣ୍ଠକଟା ବେଳାଭୂମିକୁ ସରସ ସୁନ୍ଦର ରଖିବା ଏମିତି ଏକ କାର୍ଯ୍ୟକ୍ରମ ହାତକୁ ନେଇଛି ଜିଲ୍ଲା ପ୍ରଶାସନ । ଏହି ନିୟମରେ ବେଳା ଭୂମିରେ ଶୌଚ ମନା ହୋଇଛି । ଯଦି ଏହାକୁ କେହି ନ ମାନନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣା ପଡିଛି । ଏଣିକି ପେଣ୍ଠକଟା ବେଳାଭୂମିରୁ ପୌର ପରିଷଦ ପକ୍ଷରୁ ଅଳିଆ ଉଠାଯିବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ୯ ଜଣିଆ ଟିମ ଗଠନ କରାଯାଇଛି । ଗାନ୍ଧି ଜୟନ୍ତୀ ଠାରୁ ପେଣ୍ଠକଟାକୁ ଖୋଲା ମଳ ମୁକ୍ତ ଅଂଚଳ ଘୋଷଣା କରାଯିବ ।
ଏହି ଅଭିଯାନରେ ପ୍ରଥମେ ସହରର ସବୁଠୁ ବେଶି ଆବର୍ଜନା ପୂର୍ଣ୍ଣ ପେଣ୍ଠକଟାକୁ ଯୁଦ୍ଧକାଳୀନ ଭିତିରେ ସ୍ୱଛ , ନିର୍ମଳ ଓ ସୁନ୍ଦର କରାଯିବ । ଯାହାର ତଦାରଖ କରିବେ ଖୋଦ ପୁରୀ ଜିଲ୍ଲାପାଳ । ସୂଚନା ଅନୁସାରେ ବସ୍ତି ଅଞ୍ଚଳରୁ ସେପ୍ଟେମ୍ଭର ପହିଲାରୁ ଅଳିଆ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ । ସେହିଭଳି ବସ୍ତି ମାନଙ୍କରେ କେଉଁ ମାନଙ୍କର ପାଇଖାନା ନାହିଁ ସେମାନଙ୍କ ତାଲିକା ମଧ୍ୟ ପ୍ରକାଶ କରାଯିବ । ମତ୍ସ୍ୟଜୀବୀ ରହୁଥିବା ଏହି ଅଞ୍ଚଳକୁ ଅଳିଆ, ଆବର୍ଜନା ଓ ଦୁର୍ଗନ୍ଧ ମୁକ୍ତ କରିବା ଲାଗି ସଚେତନତା କାର୍ୟ୍ୟ ଜୋରଦାର ହେବ ।