ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୋଲିସର କାର୍ଯ୍ୟ ଦକ୍ଷତା ମାପିବେ ସାଧାରଣ ଲୋକ । ସାଧାରଣତଃ ଥାନାକୁ ଯିବା ପାଇଁ ସମସ୍ତେ ଭୟ କରିଥାନ୍ତି । କିନ୍ତୁ ବର୍ତ୍ତମାନ ସ୍ଥିତି ସୁଧାରିବା ପାଇଁ ଏକ ନୂତନ ପ୍ରୟାସ କରିଛନ୍ତି ନୂଆ ଡିଜି ବି.କେ ଶର୍ମା । ତେବେ ପୋଲିସ ଥାନାରେ ଅଭିଯୋଗକାରୀଙ୍କ ସହ କିଭଳି ବ୍ୟବହାର କରୁଛି, ଅଭିଯୋଗକାରୀ ତଦନ୍ତକୁ ନେଇ ସନ୍ତୁଷ୍ଟ କି ନାହିଁ ତାହା ଏବେ ଅଭିଯୋଗକାରୀ କହିବେ । ଏଣିକି ଅଭିଯୋଗକାରୀଙ୍କ ପାଖକୁ ପୋଲିସ ବିଭାଗ ପକ୍ଷରୁ ଏକ କଲ ଆସିବ । ଏହି କଲ ମାଧ୍ୟମରେ ଅଭିଯୋଗକାରୀଙ୍କୁ ଥାନା ଅଧୀକାରୀଙ୍କ ବ୍ୟବହାର, ଦକ୍ଷତା ଓ ତଦନ୍ତକୁ ନେଇ ୫ଟି ପ୍ରଶ୍ନ ପଚରାଯିବ । ପ୍ରତି ପ୍ରଶ୍ନର ଉତ୍ତରରେ ପୋଲିସକୁ ୧ ରୁ ୫ ମାର୍କ ଭିତରେ ନମ୍ବର ଦେବେ ସଧାରଣ ଲୋକ ।
ଏହି ମାର୍କରେ ହିଁ ଥାନା ବାବୁଙ୍କର ଦକ୍ଷତା ମପାଯିବ । ଆଜି ମୋ ସରକାରକୁ ନେଇ ରାଜ୍ୟ ପୋଲିସର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ମୋ ସରକାର କାର୍ଯ୍ୟକ୍ରମକୁ ପୋଲିସ ବିଭାଗରେ ଲାଗୁ କରିବାର ସୂଚନା ପୋଲିସ ଡିଜି ଦେଇଛନ୍ତି । ଏହା ସହ ବର୍ତ୍ତମାନ ଅନଲାଇନରେ ଅଭିଯୋଗ କରାଯାଇ ପାରିବ ବୋଲି ମଧ୍ୟ ସୂଚନା ମିଳିଛି । ଡିଜିପିଙ୍କ କ୍ୟାମ୍ପ ଅଫିସରେ ସ୍ୱତନ୍ତ୍ର ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଅସିଥିବା ବଛା ବଛା ଅଧୀକାରୀ ମାନଙ୍କୁ ଥାନାରେ ଲୋକ ମାନଙ୍କ ସହ ଭଲ ବ୍ୟବହାର ସହ ୮ଟି ଦିଗ ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରଶିକ୍ଷଣ ଦିଆଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୋଲିସ ଅଧୀକାରୀ ଉପସ୍ଥିତ ଥିଲେ ।