ଝାରସୁଗୁଡା ( ଏଟିଆର ବ୍ୟୁରୋ): ନରେନ୍ଦ୍ର ମୋଦିଙ୍କ ଟାର୍ଗେଟରେ ଓଡିଶା । ଚଳିତ ନିର୍ବାଚନକୁ ଆଖି ଆଗରେ ରଖି ବାରମ୍ବାର ଓଡିଶା ଗସ୍ତ ରାଜନୀତି ପାଣି ପାଗକୁ ଚହଲା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଆଜି ପୁଣି ଓଡିଶା ଗସ୍ତ କରିଛନ୍ତି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ସେ ଝାରସୁଗୁଡାରେ ପହଞ୍ଚିଛନ୍ତି । ସେଠାରୁ ସେ ଏକ ହେଲିକପ୍ଟର ଯୋଗେ ସମ୍ବଲପୁରରେ ପହଞ୍ଚିବେ । ଯାହାକୁ ନେଇ ବିଜେପିରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ମୋଦି ସମ୍ବଲପୁର ରେମେଡ ଛକ ବସ ଟର୍ମିନାଲ ଠାରେ ଦଳୀୟ ପ୍ରଚାରରେ ଯୋଗଦେବେ । ସେଠାରେ ସେ ଲୋକସଭା ପ୍ରାର୍ଥୀ ନୀତିଶ ଗଙ୍ଗଦେବଙ୍କ ସମେତ ୭ ଟି ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ବିଧାୟକ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ସେହିଭଳି ସେଠାରୁ ସେ ଛତିଶଗଡ ଯିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ଅପରାହ୍ନ ୪ ଟାରେ ସେ ଭୁବନେଶ୍ୱର ଗସ୍ତ କରିବେ । ସେଠାରେ ସେ ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ବରମୁଣ୍ଡା ପଡିଆ ପର୍ଯ୍ୟନ୍ତ ଏକ ରୋଡ ସୋ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସେହିପରି ଭୁବନେଶ୍ୱର ବରମୁଣ୍ଡା ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ସଂକଳ୍ପ କାର୍ଯ୍ୟକ୍ରମରେ ଯୋଗଦେଇ ଭୋଟରଙ୍କୁ ଉଦ୍ଭୋଧନ ଦେବେ । ଏହି ଅବସରରେ ଏୟାରପୋର୍ଟ ଠାରୁ ବରମୁଣ୍ଡା ପର୍ଯ୍ୟନ୍ତ ସ୍ୱତନ୍ତ୍ର ବ୍ୟାରିକେଟ ନିର୍ମାଣ କରାଯାଇଛି । ମୋଦିଙ୍କ ସୁରକ୍ଷା ପାଇଁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୧୩୦ ଅଫିସର ନିୟୋଜିତ ହୋଇଛନ୍ତି ।