ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଖଚାଖଚ ଭିଡ଼ । ଆଉ ତାରି ଭିତରେ ଅସଦାଚରଣ । ଆଦିବାସୀ ମେଳା ବୁଲିବାକୁ ଆସିଥିବା ବେଳେ ୨ଜଣ କଲେଜ ଛାତ୍ରୀ ଅସଦାଚରଣର ଶିକାର ହୋଇଛନ୍ତି । ଅସଦାଚରଣ କରିଥିବା ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଛି ପୁଲିସ । ତେବେ ଏହାରି ଭିତରେ କିନ୍ତୁ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଅସଦାଚରଣ କରିଥିବା ବ୍ୟକ୍ତିଙ୍କୁ ଥାନାରୁ ମୁକଳାଇବା ଲାଗି ପ୍ରାଣପ୍ରଣେ ଉଦ୍ୟମ କରିଥିଲେ କମିଶନରେଟ ପୁଲିସର ଜଣେ ଏଏସଆଇ ।
ଅବିଶ୍ୱାସ ଲାଗୁଥିଲେ ବି କଥା ସତ । ଏହାର କାରଣ ଯୁବତୀଙ୍କୁ ଅସଦାଚରଣ କରିଥିବା ବ୍ୟକ୍ତି ଆଉ କେହିନଥିଲେ ବରଂ ଖୋଦ ପୁଲିସ ଏଏସଆଇଙ୍କ ଶଳା ଥିଲେ । ତେଣୁ ନିଜ ଶଳାଙ୍କୁ ମୁକୁଳାଇବା ଲାଗି ଢ଼େର ଚେଷ୍ଟା କରିଥିଲେ ଏଏସଆଇ ମହାଶୟ । ସେପଟେ ଥାନା ଭିତରେ ଏଏସଆଇ ସାରଙ୍କ ଏଭଳି ମଧ୍ୟସ୍ଥି ରୂପ ଦେଖି ଫିଡିକିଥିଲେ ଆଇଆଇସି । ଅଭିଯୋଗକୁ ଭିତ୍ତି କରି ସିଧା ମାମଲା ରୁଜୁ କରାଯାଇଛି । ପୂରା ଘଟଣାଟି ଏହିପରି, ୨ଜଣ କଲେଜ ଛାତ୍ରୀ ଆଦିବାସୀ ମେଳା ବୁଲିବାକୁ ଆସିଥିବା ବେଳେ ଜଣେ ବ୍ୟକ୍ତି ସେମାନଙ୍କୁ ଅସଦାଚରଣ କରିଥିଲେ । ଥରେ ନୁହେଁ ବରଂ ୨ଥର ।
ସ୍ଥାନୀୟ ଲୋକେ ଅସଦାଚରଣ କରିଥିବା ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସର ଜିମା ଦେଇଥିଲେ । ହେଲେ ଥାନାକୁ ଆସିବାର କେଇ ମିନିଟ ହୋଇନି ବରଗଡ଼ ଥାନାର ଜଣେ ଏଏସଆଇ ୟୁନିଫର୍ମ ପିନ୍ଧି ନିଜ ଶଳାକୁ ବଞ୍ଚାଇବାକୁ ଖାରବେଳନଗର ଥାନାରେ ହାଜର ହୋଇଯାଇଥିଲେ । କେତେବେଳେ ଡିସିଓଙ୍କୁ ତ’ ଆଉ କେତେବେଳେ ଅଭିଯୋଗ ଆଣିଥିବା ଯୁବତୀଙ୍କୁ ବୁଝାଇଥିଲେ । ମାମଲା ରଫଦଫା କରିବା ଲାଗି ଚେଷ୍ଟା ଚଳାଇଥିଲେ । ଏମିତିକି କିଛି ଯୁବତୀଙ୍କୁ କିଛି ଅଫର ମଧ୍ୟ କରିଥିଲେ । ହେଲେ ଠିକ୍ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ଯିବାରୁ କଥା ଓଲଟି ଯାଇଥିଲା ।
କେବଳ ଏତିକି ନୁହେଁ ଡ୍ରେସରେ ଥାଇ ଏଭଳି କାମ କରିଥିବା ଜଣେ ବ୍ୟକ୍ତିଙ୍କୁ କିଭଳି ମୁକୁଳାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଥାନା ଅଧିକାରୀ ପ୍ରଶ୍ନ କରିବା ପରେ ମୁହଁ ଚାପି ପଳାଇଥିଲେ ଏଏସଆଇ ଜଣଙ୍କ । ତେବେ ଥାନାରେ ଥିବା ଅନ୍ୟ ଲୋକମାନେ ଏହି ଘଟଣାକୁ ନେଇ ଅନେକ ଟାହି ଟାପରା କରିଥିବା ଦେଖିବାକୁ ମିଳିଥିଲା ।