ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ଓଡିଶା ଛୁଇଁଲା ମୌସୁମୀ ବାୟୁ । ଯାହାର ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହେବା ଆରମ୍ଭ ହୋଇଯାଇଛି । ଗତକାଲି ରାଜ୍ୟକୁ ମୌସୁମୀ ବାୟୁ ଛୁଇଁ ଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ମୌସୁମୀ ବାୟୁ ପ୍ରଭାହିତ ହେବ ବୋଲି ପାଣିିପାଗ ବିଭାଗ ସୂଚନା ଦେଇଛି । ଏହି ଅବସରରେ ଆସନ୍ତା କାଲି ଠାରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି ।
ସୂଚନା ଅନୁସାରେ ପୂର୍ବରୁ ସ୍କାଏମାଟ ଅନୁମାନ କରିଥିଲା କି ଗତ ୧୦ ତାରିଖ ଅର୍ଥାତ ରଜ ପୂର୍ବରୁ ମୌସୁମୀ ବାୟୁ ଓଡିଶା ଛୁଇଁବ । ମାତ୍ର ସେଥିରେ ବିଳମ୍ଭ ହୋଇଛ, ଧାର୍ଯ୍ୟ ସମୟ ଠାରୁ ୧୦ ଦିନ ପରେ ଓଡିଶା ଛୁଇଁଛି ମୌସୁମୀ ବାୟୁ । ଏବେ ଓଡିଶାରେ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପୁରା ଓଡିଶା ଛୁଇଁବ । ସୂଚନା ଅନୁସାରେ ପ୍ରଥମେ ମୌସୁମୀ ବାୟୁ ଦକ୍ଷିଣ ପ୍ରାନ୍ତରେ ପ୍ରବେଶ କରି ପୁରା ଓଡିଶାରେ ପ୍ରଭାହିତ ହେବ ।
ଅନ୍ୟପଟେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ୨ ଦିନ ବର୍ଷା ଲାଗି ରହିବା ଆଶଙ୍କା କରାଯାଇଛି । ଗତକାଲି ଭୁବନେଶ୍ୱର ସମେତ କେତେକ ଉପକୂଳ ଜିଲ୍ଲାରେ ମୌସୁମୀ ବର୍ଷା ହୋଇଛି । ଆଜି ମଧ୍ୟ କନ୍ଧମାଳ, ବରଗଡ, ଖୋର୍ଦ୍ଧା ଗଞ୍ଜାମ ସମେତ ବିଭିନ୍ନ ଉପକୂଳ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବା ଅନୁମାନ କରାଯାଉଛି ।