ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଯେଉଁଭଳି ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏବେ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଜନସମାଗମ ହେବା ଏକ ପ୍ରକାର ବିପଦକୁ ଟାଣି ଆଣିବ । ତେବେ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ପୁଣି ଏକ ବଡ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ଗାଡି କାଗଜପତ୍ର ବୈଧ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।
ଏହି ସମୟସୀମା ମଧ୍ୟରେ କୌଣସି ଗାଡି କାଗଜର ବୈଧତା ଶେଷ ହୋଇଥିଲେ ମଧ୍ୟ ଏହା ବୈଧ ରହିବ ବୋଲି ରାଜ୍ୟ ପରିବହନ କମିଶନର ନିର୍ଦେଶ ଦେଇଛନ୍ତି । ଗାଡିର ଫିଟନେସ, ସମସ୍ତ ପ୍ରକାର ପରିମିଟ, ଡ୍ରାଇଭିଙ୍ଗ ଲାଇସେନ୍ସ, ପଞ୍ଜିକରଣ ସାର୍ଟିଫିକେଟ ଆଜି ଫେବୃଆରୀ ୧ ତାରିଖରୁ ଶେଷ ହୋଇଯାଇଛି । ସେଗୁଡିକର ବୈଧତା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ସେହିପରି ଯେଉଁ ଲର୍ଣ୍ଣି ଲାଇସେନ୍ସର ବୈଧତା ମାର୍ଚ୍ଚ ୧୮ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଶେଷ ହେଉଛି ସେଗୁଡିକର ବୈଧତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରହିବ । ସେହିଭଳି ମାଲଗାଡି, ଶିକ୍ଷାନୁଷ୍ଟାନରେ ବ୍ୟବହାର କରାଯାଉଥିବା ବସ, ବ୍ୟକ୍ତିଗତ ଗାଡିର ପରିମିଟ ଫେବୃଆରୀ ୧ ରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଶେଷ ହେବ ସେ ଗୁଡିକ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି ସୂଚନା ଦେଇଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା ।