ବ୍ରହ୍ମପୁର, (ଏଟିଆର ବ୍ୟୁରୋ) : ଫିଟିଲା ବସ ହେଲପର ରାଜୀବ ଗୌଡଙ୍କ ହତ୍ୟାକାଣ୍ଡର ରହସ୍ୟ । ଗତ ୮ଦିନର ତନାଘନା ପରେ ଶେଷରେ ବ୍ରହ୍ମପୁର ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ୟା ପଛର କାରଣ ଖୋଜି ପାଇଛି । ପୂର୍ବ ଶତ୍ରୁତାକୁ ନେଇ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂଚନା ଦେଇଛି ।
ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛି ଦିଗପହଣ୍ଡି ଥାନା ଗୋଲଣ୍ଡା ଗାଁର କେ ଶଙ୍କର ଦୋରା । ପେଶାରେ ସେ ବି ଜଣେ ହେଲପର । ପୁଲିସ ରିପୋର୍ଟ ଅନୁସାରେ, ଘରୋଇ ବସ ନିଳକଣ୍ଠରେ ଉଭୟ ହେଲପର କାମ କରୁଥିଲେ । ତେବେ କୌଣସି କାରଣ ବସତଃ ଉଭୟଙ୍କ ମଧ୍ୟରେ ସମ୍ପର୍କ ଏତେଟା ଭଲ ନଥିଲା । ପ୍ରାୟ ସବୁବେଳେ ଉଭୟ ଝଗଡ଼ା ଲାଗୁଥିଲେ ।
ତେବେ ଗତ ୨୯ ତାରିଖରେ ଏହି ଝଗଡ଼ା ଉଗ୍ରରୂପ ନେଇଥିଲା । ରାଗରେ ପଞ୍ଚମ ହୋଇ ଶଙ୍କର ହତ୍ୟା କରିବାକୁ ବି ପଛାଇନଥିଲା । ରାତିରେ ବସ ଭିତରେ ରାଜୀବ ଶୋଇଥିବା ବେଳେ ଶଙ୍କର ସେଠାରେ ପହଞ୍ଚିଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଶେଷରେ ଶଙ୍କର ବସରେ ଥିବା ଏକ ଜଗ ରଡରେ ରାଜୀବର ମୁଣ୍ଡକୁ ପିଟି ଦେଇଥିଲା ।
ପ୍ରବଳ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ହିଁ ରାଜୀବର ମୃତ୍ୟୁ ହୋଇଥିଲା । ପୁଲିସ ମୃତ ଦେହକୁ ଜବତ କରି ଘଟଣାର ଖୋଳତାଡ କରିବା ପରେ ଘଟଣା ପଛରେ ଶଙ୍କର ହାତ ଥିବା ସୁରାକ ମିଳିଥିଲା । ଶେଷରେ ଶଙ୍କରକୁ ପୁଲିସ ଗିରଫ କରିଛି । ଶଙ୍କର ମଧ୍ୟ କରିଥିବା କାରନାମା ସମ୍ପର୍କରେ ପୁଲିସ ଆଗରେ ସବୁ ବଖାଣିଛି ।