ସମ୍ବଲପୁର (ଏଟିଆର ବ୍ୟୁରୋ); ଘର ସାମନାରେ ଖଟିଆରେ ଶୋଇଥିଲେ ଯୁବକ । ସକାଳୁ ଦେଖିବା ବେଳକୁ ମୁଣ୍ଡ ବିହିନ ଗଣ୍ଡି ଖଟିଆରେ ପଡିଛି । ସମ୍ବଲପୁର ଜିଲ୍ଲା ଅଇଁଠାପାଲ୍ଲି ଅନ୍ତର୍ଗତ ଭାଲୁପାଲିର ତିଲେଇମାଲରୁ ଆସିଛି ଏଭଳି ଅଭିଯୋଗ । ତେବେ କିଏ ଏବଂ କାହିଁକି ଏଭଳି ଜଘନ୍ୟକାଣ୍ଡ ଭିଆଇଛି ତାହା ସ୍ପଷ୍ଟ ହୋଇନାହିଁ । ମୃତକ ହେଲେ ସତ୍ୟନାରାୟଣ ମୁଣ୍ଡା । ପୋଲିସ ଘଟଣାର ତଦନ୍ତ କରିବା ସହିତ କଟାମୁଣ୍ଡକୁ ଖୋଜୁଛି ।
ଗତକାଲି ରାତିରେ ଅସହ୍ୟ ଗୁଳୁଗୁଳି ହେଉଥିଲା । ଏଣୁ ସତ୍ୟନାରାୟଣ ଘରେ ନଶୋଇ ବାହାରେ ଏକ ମଶାରୀ ଟାଙ୍ଗୀ ଖଟିଆରେ ଶୋଇଥିଲେ । କିନ୍ତୁ ସକାଳୁ ପରିବାର ଲୋକ ଦେଖିଲା ବେଳକୁ ମୁଣ୍ଡ ନାହିଁ ଖାଲି ଗଣ୍ଡି ପଡିଛି । ପରିବାର ଲୋକ ଏହା ଦେଖିବା ପରେ ଛାନିଆ ହୋଇଯାଇଥିଲେ । ପାଟିକରି ଗାଁଲୋକଙ୍କୁ ଡାକିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଗଣ୍ଡିକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ଗାଁଲୋକଙ୍କ ସହାୟତାରେ ପୋଲିସ ମୁଣ୍ଡକୁ ଖୋଜୁଛି । ତେବେ ସାଇଣ୍ଟଫିକ ଟିମ ମଧ୍ୟ ଘଟଣାର ତଦନ୍ତ କରିବ । ଏବଂ ଡଗସ୍କ୍ୱାର୍ଡ ମଧ୍ୟ ଘଟଣାସ୍ଥଳକୁ ଯିବ ବୋଲି ସୂଚନା ମିଳିଛି । ସ୍ଥାନୀୟ ଏସଡିପିଓ କହିଛନ୍ତି କି କେହି ଦୁର୍ବୃତ୍ତ ରାତି ୩ଟାରୁ ସାଢ଼େ ୪ଟା ଭିତରେ ଏଭଳି କରିଥିବ । ତେବେ କିଏ ଏବଂ କାହିଁକି କରିଛି କାରଣ ଖୋଜୁଛି ପୋଲିସ । ପୂର୍ବ ଶତୃତାରୁ ଏଭଳି କେହି କରିଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।ଗାଁ ମଝିରେ ଏଭଳି ଏକ ହତ୍ୟାକାଣ୍ଡ ହୋଇଥିବାରୁ କେହି ପରିଚିତ ଲୋକଙ୍କର ଏଥିରେ ସମ୍ପୃକ୍ତି ରହିଥିବାର ସନ୍ଦେହ କରାଯାଉଛି ।