ପୁରୀ,(ଏଟିଆର ବ୍ୟୁରୋ): ପୁଣି ଅଶାନ୍ତ ହୋଇଛି ପୁରୀ । ରାତିର ଅନ୍ଧାରରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଜଣେ ବ୍ୟକ୍ତିଙ୍କୁ ଅତି ଅମାନୁଷିକ ଭାବେ ଚନ୍ଦନପୁର ଅଞ୍ଚଳରେ ହତ୍ୟା କରାଯାଇଛି । ତେବେ ୨ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଏଭଳି କାଣ୍ଡ ଭିଆଇଥିବା ସୂଚନା ମିଳିଛି । ମୃତକଙ୍କ ନାଁ ଶରତ କୁମାର ସାହୁ ବୋଲି ଜଣାପଡିଛି । ପୁଲିସ ମୃତଦେହକୁ ଜବତ କରି ଘଟଣାର ଖୋଳତାଡ ଆରମ୍ଭ କରିଛି ।
ରିପୋର୍ଟ ଅନୁସାରେ, ମୃତ ଶରତଙ୍କ ଏକ ୱେଲ୍ଡିଂ ଦୋକାନ ରହିଛି । ସବୁଦିନ ଭଳି ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ତେବେ ବାଟରେ ୨ଜଣ ଦୁର୍ବୃତ୍ତ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଶରତଙ୍କ କାନ ଓ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରୀ ରିପୋର୍ଟ କହୁଛି ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଶରତଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ବେଶ କିଛି ସମୟ ହସପିଟାଲରେ ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକ ନିଜ ସୁରକ୍ଷା ଦାବି କରି ହୋହାଲ୍ଲା କରିଥିବା ବେଳେ ପୁଲିସ ସେମାନଙ୍କୁ ବୁଝାସୁଝା କରିଥିଲା ।
ସେପଟେ ହତ୍ୟା ପଛର କାରଣ ପୂର୍ବ ଶତ୍ରୁତା ବୋଲି ପୁଲିସ ଜାଣିବାକୁ ପାଇଛି । କିଛିଦିନ ତଳେ ୨ଜଣ ଯୁବକ ଶରତଙ୍କ ୱେଲ୍ଡିଂ ଦୋକାନକୁ ଆସିଥିଲେ । ସେଠାରେ ଟଙ୍କା ନେଣଦେଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ହତ୍ୟା ପଛର କାରଣ ବୋଲି ପୁଲିସ ଏବେ ସନ୍ଦେହ କରୁଛି । ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବା ନେଇ ପୁଲିସ ଆଶା ବାନ୍ଧିଛି । ସେପଟେ ପୁରୀ ଭଳି ସ୍ଥାନରେ ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ତିର୍ଥ ଯାତ୍ରୀଙ୍କୁ ଅଡୁଆରେ ପକାଇଛି । ଏହା ଉପରେ ଦୃଷ୍ଟି ଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ସାଧାରଣ ଲୋକ ।