ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଝାରସୁଗୁଡା ବିଧାୟକ ପଦରୁ ଇସ୍ତଫା ଦେଲେ ନବ ଦାସ । ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି ନବ । ନିକଟରେ କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି ନବ ଦାସ । ତେବେ ସେ ଝାରସୁଗୁଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ବିଧାୟକ ହୋଇଥିଲେ । ଏଣୁ ସେ ବିଜେଡିରେ ମିଶିବାରୁ ନିଜର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ନବଙ୍କ ଇସ୍ତଫା ପରେ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ପାଖେଇ ଆସୁଥିବାରୁ ଏହା ଏକ ପ୍ରହସନ ବୋଲି ସାଧାରଣରେ କଥା ଉଠୁଛି ।
ଜାୁନଆରୀ ୧୬ ତାରିଖରେ କଂଗ୍ରେସ ଛାଡିଥିଲେ ଝାରସୁଗୁଡା ବିଧାୟକ ତଥା ଓଡିଶା ରାଜନୀତିର ଜଣେ ଚିହ୍ନା ମୁହଁ ନବ ଦାସ । ଦଳରେ ତାଙ୍କୁ ଅଣ ଦେଖା କରାଯାଉଥିଲା । ଏବଂ ଦଳୀୟ କନ୍ଦଳ ପାଇଁ କଂଗ୍ରେସ ଛାଡିଥିଲେ ନବ । ଯାହାକି କଂଗ୍ରେସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇ ଯାଇଥିଲା । କାରଣ ଜାନୁଆରୀ ୨୫ ତାରିଖରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଓଡିଶା ଆସିବା ପାଇଁ ଘୋଷଣା କରାଯାଇଥିଲା । ମାତ୍ର ୨୪ ତାରିଖରେ ବିଜେଡି ଯୋଗ ଦେଇଥିଲେ ନବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବ ବିଜେଡିରେ ଯୋଗ ଦେଇଥିଲେ । ତେବେ ଏହି ମିଶ୍ରଣ ପର୍ବରେ ନବ ଦାସଙ୍କ ସହ ଝାରସୁଗୁଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ୫ଜଣ ଜିଲ୍ଲା ପରିଷଦ ସଦସ୍ୟ ଏବଂ ଜିଲ୍ଲାର ୫ଟି ବ୍ଳକର କଂଗ୍ରେସ ଅଧ୍ୟକ୍ଷ ଅଧ୍ୟକ୍ଷା ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ । ଯାହାକୁ ନେଇ ଚିନ୍ତାରେ ରହିଥିଲା କଂଗ୍ରେସ ।
ନବ ଦାସ ବିଜେଡିରେ ମିଶିବା ପରେ ଝାରସୁଗୁଡାରେ ବିଜେଡିର ପଲ୍ଲା ଭାରି ହୋଇ ଯାଇଛି । ଝାରସୁଗୁଡାରେ ଅଧିକ କଂଗ୍ରେସ ସମର୍ଥକ ଥିଲେ । ତେବେ ନବ ଦାସ ଏବଂ ତାଙ୍କର ବହୁ ସମର୍ଥକ ବିଜେଡିରେ ଯୋଗ ଦେବା ପରେ ଝାରସୁଗୁଡାରେ କଂଗ୍ରେସ ଏକ ପ୍ରକାର ଲୋପ ପାଇ ଯାଇଥିବା ଚର୍ଚ୍ଚା ହେଉଛି । ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସ ହେଉଛି ଅଖଣ୍ଡ ସମୁଦ୍ର । ଆଞ୍ଜୁଳାଏ ପାଣି ପଲେଇଲେ ସମୁଦ୍ର ଶୁଖିଯିବ ନାହିଁ । ତେବେ ନବ ଦାସ ଦଳରେ ରହି ବହୁ ଦଳ ବିରୋଧୀ ମନ୍ତବ୍ୟ ଦେଉଥିଲେ । ଏଣୁ ସେ ଦଳରୁ ବାହାରି ଯାଇଛନ୍ତି ଦଳ ପାଇଁ ମଙ୍ଗଳ ବୋଲି କହିଛନ୍ତି ନିରଞ୍ଜନ । ସେପଟେ ନିର୍ବାଚନ ପୂର୍ବରୁ ଧାନ ରହି ବାଳୁଙ୍ଗା ଅଲଗା ହୋଇ ଯାଇଛନ୍ତି ବୋଲି ଅଟ୍ଟହାସ୍ୟ କରି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତ ରାୟ । ସେ କହିଛନ୍ତି ନବଙ୍କ ଠାରୁ ଆହୁରି ଭଲ ନେତା ଦଳରେ ଅଛନ୍ତି । ଏବଂ ସେ କଂଗ୍ରେସ ନାଁରେ ଝାରସୁଗୁଡାରେ ଜିତୁଥିଲେ । ଏବେ ବିଜେଡିରେ ଯୋଗ ଦେବା ପରେ ତାଙ୍କ ଭାଗ୍ୟ ଖରାପ ପଡି ଯାଇଛି । ଏଥର ପରାଜୟ ନିଶ୍ଚିନ୍ତ ।