ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସବୁବେଳେ ଗୋଟିଏ ପରେ ଗୋଟିଏ ନୂଆ ଯୋଜନା ଘୋଷଣା କରି ଚର୍ଚ୍ଚାରେ ରହିଥାନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ । ସେ ରାତିରେ ଆହାର ଯୋଜନା ହେଉ ବା ମହିଳାଙ୍କ ସଂରକ୍ଷଣ । ତେବେ ପୁଣି ଏଭଳି ଏକ ଯୋଜନା ଘୋଷଣା କରି ଚର୍ଚ୍ଚାକୁ ଆସିଛନ୍ତି ନବୀନ । ଗରିବ ବୃଦ୍ଧମାନଙ୍କୁ ଦେଉଥିବା ଭତ୍ତାରେ ସରକାର ରାଜ୍ୟର ଆଉ ୫ ଲକ୍ଷ ହିତାଧିକାରୀ ନାଁ ସାମିଲ କରିଛନ୍ତି । ୬୦ରୁ ଅଧିକ ବୟସ୍କମାନେ ୩୦୦ ଏବଂ ୮୦ରୁ ଅଧିକ ବୟସ୍କମାନେ ପାଉଥିବା ୫୦୦ ଟଙ୍କା ଭତ୍ତା ପାଉଛନ୍ତି । ଏଣୁ ଏହି ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିଛନ୍ତି । ସେପଟେ କଳାକରଙ୍କ ପାଇଁ ଘୋଷଣା କରାଯାଇଥିବା ଭତ୍ତା ଯୋଜନାରେ ମଧ୍ୟ ଆଉ ୪୦ ହଜାର ହିତାଧିକାରୀଙ୍କ ନାଁ ସାମିଲ କରିଛନ୍ତି । ତେବେ ନୂଆ ଘୋଷଣା ହୋଇଥିବା ହିତାଧିକାରୀ ମାନଙ୍କୁ ଡିସେମ୍ବର ୧୫ ତାରିଖରେ ଏକ ସ୍ୱତନ୍ତ୍ର କ୍ୟାମ୍ପ ମାଧ୍ୟମରେ ଭତ୍ତା ଦିଆଯିବ । ଏହାପରେ ପ୍ରତିମାସର ୧୫ରୁ ୨୦ ମଧ୍ୟରେ ଏହି ଭତ୍ତା ମିଳିବ ବୋଲି ପ୍ରକାଶ କରିଛନ୍ତି ନବୀନ ।
ପାଖେଇ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ଏଣୁ ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ଯୋଜନା ସବୁ ଘୋଷଣା କରୁଛନ୍ତି ବୋଲି ବିରୋଧୀ କଂଗ୍ରେସ ଏବଂ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ସରକାରଙ୍କର ଯଦି ଏତେ ଯୋଜନା ଘୋଷଣା କରିବାର ଥିଲା ତେବେ ସେ ଆଗରୁ କେଉଁଠି ଥିଲେ ଏବେ ନିର୍ବାଚନ ପାଖେଇ ଆସିବାରୁ କଣ ମନେ ପଡିଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।