ଯାଜପୁର (ଏଟିଆର ବ୍ୟୁରୋ); ଅପପୃଷ୍ଟି ପାଇଁ ଚର୍ଚ୍ଚାରେ ରହୁଥିବା ନଗଡା ଏବେ ପୁଣି ଏକ ଘଟଣା ପାଇଁ ଚର୍ଚ୍ଚାରେ ରହିଛି । ସାଧାରଣତଃ ଏଠାରେ ଏବେବି ନାବାଳିକା ବିବାହ ଚାଲୁଥିବା ଗଣମାଧ୍ୟମରେ ପ୍ରସାରଣ ହୋଇଛି । ତେବେ ଆଜି ଏଠାରେ ପ୍ରଥମ ସାବାଳିକା ବିବାହ ଅନୁଷ୍ଠିତ ହୋଇଛି । ନଗଡ଼ା ସୁନ୍ଦରୀ ରଇବାରୀ(ରୁଇ) ପ୍ରଧାନ ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତଳ ନଗଡ଼ାର ଗୁରୁ ପ୍ରଧାନଙ୍କ ବଡ଼ଝିଅ ରୁଇ(୧୯) ପଡ଼ୋଶୀ ଢେଙ୍କାନାଳ ଜିଲ୍ଲା ବିରାଶାଳ ପାଖ ମୁତୁରିବନ୍ଧ ଗାଁର ଗଣେଶ ପ୍ରଧାନ(୨୪)ଙ୍କୁ ଜୁଆଙ୍ଗ ପ୍ରଥା ଓ ପରମ୍ପରା ଅନୁଯାୟୀ ବିବାହ କରିଛନ୍ତି। ସାଧାରଣତଃ ବାଲ୍ୟ ବିବାହର ଗଡ଼ କୁହାଯାଉଥିବା ନଗଡ଼ା ଇଲାକାରେ ଏହା ପ୍ରଥମ ବୈଧ ବିବାହ ବୋଲି ଜଣାପଡ଼ିଛି।
ଏହି ରେକର୍ଡ ବିବାହରେ ଯୋଗ ଦେଇଛନ୍ତି ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇ । ବିବାହ ଉତ୍ସବରେ ଯୋଗ ଦେବା ସହିତ ଉଭୟ ବର ଏବଂ କନ୍ୟାକୁ ଆଶିର୍ବାଦ କରିଛନ୍ତି । ବୈବାହିକ ଜୀବନ ସୁଖମୟ ହେଉ ବୋଲି ସେ ଆଶୀର୍ବାଦ କରିଛନ୍ତି । ବିଧାୟକଙ୍କ ସମେତ ଏହି ରେକର୍ଡ ବିବାହରେ ବହୁ ମାନ୍ୟଘନ୍ୟ ବ୍ୟକ୍ତି ଏବଂ ସ୍ଥାନୀୟ ଲୋକ ଯୋଗ ଦେଇଥିଲେ । ଅଧିକ ପାଠ ପଢ଼ିବାର ସୁଯୋଗ ପାଇ ନଥିଲେ ମଧ୍ୟ ଭଲରେ ଗଣନ ଓ ହିସାବ କରିପାରୁଥିବା ସହ ପାରମ୍ପରିକ ଚାଙ୍ଗୁ ନୃତ୍ୟଗୀତରେ ନିପୁଣା ରୁଇ ନଗଡ଼ା ସୁନ୍ଦରୀ ଭାବେ ଜଣାଶୁଣା।ଏଣୁ ନଗଡା ସୁନ୍ଦରୀଙ୍କ ବିବାହରେ ବହୁ ଲୋକଙ୍କ ସମାଗମ ହୋଇଥିଲା ।