ଭୁବନେଶ୍ୱର(ଏଟିଆର ବ୍ୟୁରୋ); ସ୍ଥାନୀୟ ଜୟଦେବ ଭବନରେ ଷ୍ଟେଟ୍ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ପକ୍ଷରୁ ଆୟୋଜିତ ହୋଇଯାଇଛି ମହିଳା ଓ ଶିଶୁ ଅଧିକାର ଜାତୀୟ ସମାବେଶ । ମହିଳାଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚର ବ୍ୟଭିଚାର ଏବଂ ଶିଶୁ ଶ୍ରମିକ ବୃଦ୍ଧିକୁ ନେଇ ଏଭଳି ଏକ ସଭାର ଆୟୋଜନ କରାଯାଇଛି । ଏହି ସଭାରେ ମୁଖ୍ୟ ଅତିଥୀ ଭାବରେ ରାଜ୍ୟ ସରକାରଙ୍କ ଅର୍ଥ ଏବଂ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ଶଶୀଭୂଷଣ ବେହେରା ଯୋଗ ଦେଇଥିଲେ । ଅର୍ଥମନ୍ତ୍ରୀଙ୍କ ସମେତ ବରିଷ୍ଠ ସାମ୍ବାଦିକ ପ୍ରଦେଶ ପଟ୍ଟନାୟକ,ଆୟୋଜିତ ସଭାର ସମ୍ପାଦିକ ମିନାକ୍ଷୀ ପୃଷ୍ଟି ଏବଂ କଂଗ୍ରେସ ମହିଳା ମୋର୍ଚ୍ଚାର ଉପସଭାପତି ମନୁଜା ମଞ୍ଜରୀ ମଧ୍ୟ ଯୋଗ ଦେଇଛନ୍ତି । ଆୟୋଜିତ ସଭାର ସଭାପତିତ୍ୱ କରିଥିଲେ ମମତା ସାମନ୍ତ ରାୟ ।
ଜଗନ୍ନାଥଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ପ୍ରଦୀପ ପ୍ରଜ୍ଜଳନ କରି ସଭାର ଶୁଭାରମ୍ଭ କରାଯାଇଥିଲା । ଉପସ୍ଥିତ ଥିବା ମହିଳା ମାନଙ୍କ ହୁଳହୁଳି ନାଦରେ ଫାଟିପଡୁଥିଲା ସଭା ଗୃହ । କାରଣ ସମସ୍ତ ମହିଳା ସମାଜ ଏକ ହେବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଅନେକ ମହିଳାମାନେ ଆସି ଏଠାରେ ଉପସ୍ଥିତ ହୋଇଛନ୍ତି । ଦୀର୍ଘ ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁରହିବ । ଆସନ୍ତା କାଲି ସଭାର ମୁଖ୍ୟ ବକ୍ତା ଭାବରେ ଯୋଗଦେବାକୁ ଯାଉଛନ୍ତି ରାଜ୍ୟର ମହାମହୀମ ରାଜ୍ୟପାଳ ଗଣେଶି ଲାଲ ।
ଆଜିର ଆୟୋଜିତ ସଭାରେ ମହିଳା ଏବଂ ଶିଶୁମାନଙ୍କ ସୁରକ୍ଷା ପାଇଁ ଏକ ସେମିନାର ମଧ୍ୟ ଅନୁଷ୍ଠିତ ହୋଇଛି । ଏଥିରେ ଅତିଥୀମାନେ ମହିଳାଙ୍କ ସୁରକ୍ଷା ଏବଂ ଆଗାମି ଦିନରେ ଏହି ମହିଳାମାନେ କିପରି ଆତ୍ମନିର୍ଭରଶୀଳ ହେବେ ସେନେଇ ବକ୍ତବ୍ୟ ଦେଇଥିଲେ । ପୁରୁଷଙ୍କ ଭଳି ସବୁ କାମରେ ମହିଳାମାନେ ଆଗରେ ଥଲେ ମଧ୍ୟ ଆଜି ବି ସମାଜରେ ନାରୀମାନେ ଅବଳା ଦୁର୍ବଳା ପରି ନିର୍ଯ୍ୟାତନାର ଶିକାର ହେଉଛନ୍ତି ଏଣୁ ଏଭଳି ଏକ ସଭାର ଆୟୋଜନ କରିବା ସହ ମହିଳାଙ୍କ ଶସକ୍ତି କରଣ କରିବା ପାଇଁ ଏଭଳି ସଭାସମିତି ଆୟୋଜନ କରାଯାଇଛି ।