ସୁନ୍ଦରଗଡ (ଏଟିଆର ବ୍ୟୁରୋ): ମତଦାନ ଯେତେ ପାଖେଇ ଆସୁଛି କେନ୍ଦ୍ରରୁ ସେତେ ବଡବଡ ହେବିୱେଟ ନେତା ଓଡିଶା ଆସୁଛନ୍ତି । ଆଜି ଅମିତ ଶାହା ପୁରୀ ଆସୁଥିବା ବେଳେ ୧୬ରେ ପ୍ରଧାନ ମନ୍ତ୍ରୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ଓ ବିଜେପି ପାଇଁ କେନ୍ଦ୍ରୀୟ ନେତା ମାନେ ଆସି ପ୍ରଚାର କରୁଥିବା ବେଳେ ବିଜେଡି କିନ୍ତୁ ଅସ୍ତ୍ର କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ଆସନ୍ତା ୧୦ ତାରିଖରେ ନବୀନ ଦଳୀୟ ପ୍ରଚାର ପାଇଁ ସୁନ୍ଦରଗଡ ଗସ୍ତ କରିବେ । ଏହି ଅବସରରେ ସେ ବିଭିନ୍ନ ସ୍ଥାନରେ ଦଳୀୟ କାଯ୍ୟକ୍ରମରେ ଯୋଗଦେଇ ଉଦ୍ବୋଧନ ଦେବେ ।
ଏହି ମାରାଥନ ପ୍ରଚାର ପାଇଁ ନବୀନ ପ୍ରଥମେ ବିଜୁୁ ପଟ୍ଟନାୟକ ବିମାନ ବନ୍ଦରରୁ ହେଲିକ୍ୟାପଟରରେ ଝାରସୁଗୁଡା ବିର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିବେ ଓ ସେଠାରୁ ସେ ୧୦ ଟା ୩୫ରେ ହେମଗିରି ପଡିଆରେ ଓହ୍ଲାଇ ନିର୍ବାଚନୀ ପ୍ରଚାର କରିବେ । ପୁଣି ସେଠୁ ୧୧.୨୦ ରେ ତଲସରା ତିଲେଇ କାନିରେ ନିର୍ବାଚନୀ ସଭାରେ ଯୋଗଦେଇ ଉଦବୋଧନ ଦେବେ । ସେଠୁ ଯାଇ ୧୨ଟାରେ ରାଜଗାଙ୍ଗପୁର ଜମରପାଲିରେ ନିର୍ବାଚନୀ ପ୍ରଚାରରେ ଯୋଗଦେବେ । ସେହିଭଳି ୧୨ଟା ୪୦ରେ ବଣେଇର ବିଧାନସଭା ଆସନର ବଣେଇ ପଡିଆରେ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଚାର କରିବେ । ୧.୪୦ ରୁ ବଣେଇରୁ ବିରମିତ୍ରପୁରରେ ପହଞ୍ଚିବେ । ସେଠୁ ଉଦ୍ବୋଧନ ଦେଇ ରାଉରକେଲା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ରାଉରକେଲାରେ ପହଞ୍ଚି ରାଉରକେଲା ଓ ରଘୁନାଥପାଲୀ ବିଧାନସଭା ମଣ୍ଡଳୀରେ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି ।