ରାୟଗଡା(ଏଟିଆର ବ୍ୟୁରୋ): କାନ୍ଥରେ ଲାଗିଲା ମାଓ ପୋଷ୍ଟର । ଆଜି ସକାଳେ ରାୟଗଡା ଜିଲ୍ଲା ବିଷକଟକ ଥାନା ଚାଟିକୋର ଓ ବଡ ଗତିଗୁଡା ମୁଖ୍ୟ ରାସ୍ତାରେ ଥିବା ଯାତ୍ରୀ ବିଶ୍ରାମ ଗାରରେ ଆଜି ସକାଳେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ମାଓବାଦୀ ମାନେ ଖୋଲା ଖୋଲି ଭାବେ ଠିକାଦାର ଓ ପୋଲିସ କୁ ଚେତାବନୀ ଦେଇଛନ୍ତି । ପୋଷ୍ଟରେ ଲେଖାଯାଇଛି, ନିୟମଗିରି ଅଞ୍ଚଳରେ ରହୁଥିବା ଆଦିବାସୀ ଓ ହରିଜନ ମାନଙ୍କୁ ମାଓବାଦୀ କହି ଗିରଫ କରିବା ବନ୍ଦ କରାଯାଉ ।
ଠିକାଦାର ମାନେ ପୋଲିସର ଇନଫରର୍ମର ହେବା ବନ୍ଦ କରନ୍ତୁ । ସେହିପରି କିଛି ଦିନ ତଳେ ପୋଲିସ ଦ୍ୱାରା ଗିରଫ କରାଯାଇ ଥିବା ସିକୁନୁ ସିକକାକୁ ତୁରନ୍ତ ଜେଲରୁ ମୁକୁଳାଇ ଦିଆଯାଉ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟରକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକ ପୋଷ୍ଟରକୁ ଦେଖି ଭୟଭିତ ହୋଇପଡିଛନ୍ତି ।
ଏପଟେ ରାଜ୍ୟ ସରକାର ଗତକାଲି ମାଓବାଦୀ ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରିଥିବା ବେଳେ ଆଜି ସକାଳୁ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି । ତେବେ ପୋଲିସ ମାଓବାଦୀଙ୍କ ଏହି ଭଳି ଖୋଲା ଖୋଲି ଚ୍ୟାଲେଞ୍ଜକୁ କିଭଳି ମୁକାବିଲା କରିବ ତାହା ଦେଖିବାର ବାକି ରହିଲା ।