କନ୍ଧମାଳ (ଏଟିଆର ବ୍ୟୁରୋ); ନିର୍ବାଚନ ତାରିଖ ଘୋଷଣା ହେବା ପରେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ଥର ଲାଗି ଲାଗିଲା ମାଓପୋଷ୍ଟର । ଭୋଟ ବର୍ଜନ କରିବା ପାଇଁ ପୁଣିଥରେ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଲେ ମାଓବାଦୀ । ପୋଷ୍ଟର ମାରି ସ୍ଥିତି ଜାହିର କରିବା ପରେ ଚିନ୍ତାରେ ନେତା ଏବଂ ଜନତା । କନ୍ଧମାଳ ଜିଲ୍ଲା ବାଲିଗୁଡା-ଦାରିଙ୍ଗବାଡି ମଧ୍ୟ ଦେଇ ଯାଉଥିବା ୫୯ ନମ୍ବର ଜାତୀୟ ରାଜପଥ ଦେଇ ଯାଇଥିବା କାନ୍ଦିବାନ୍ଦା ଗାଁ ନିକଟରେ ଲାଗିଛି ମାଓପୋଷ୍ଟର । ପୋଲିସ ଖବର ପାଇବା ପରେ ମାଓପୋଷ୍ଟର ଜବତ କରିଛି ।
ମାଓବାଦୀମାନେ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି କି ଭୋଟ ପଥରେ ମୁକ୍ତି ନାହିଁ । ମୁକ୍ତି ପାଇଁ ଲଢ଼େଇ ଦରକାର । ସବୁ ନେତା ଚୋର । ଭୋଟ ମାଗିବାକୁ ଆସିଲେ ଗୋଡାଇ ମାର । ଯିଏ ଭୋଟ କଥା କହୁଛି ସିଏ ସାମ୍ରାଜ୍ୟବାଦ ଦଲାଲ । ଆହୁରି ମଧ୍ୟ ଲେଖା ଯାଇଛି କି ଭୋଟ ବର୍ଜନ କରିବା ସହିତ ବିପ୍ଳବୀ ଗଣ କମିଟି ପ୍ରତିଷ୍ଠା କରିବା । ତେବେ ଭୋଟ ଦେବାକୁ ଗଲେ କାଳେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରି ପାରନ୍ତି ଏଣୁ ଭୟରେ ରହିଛନ୍ତି ଭୋଟର । ଅପରପକ୍ଷରେ ନେତାଙ୍କୁ ମଧ୍ୟ ଧମକପୂର୍ଣ୍ଣ ଲେଖା ରହିଥିବାରୁ ଭୋଟ ଭିକ୍ଷା କରିବା ପାଇଁ ଆସୁଥିବା ନେତାମାନେ ଭୟରେ ରହିଛନ୍ତି ।
ନିର୍ବାଚନ ତାରିଖ ଘୋଷଣା ହେବା ପରେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ଥର ଲାଗି ଲାଗିଛି ମାଓ ପୋଷ୍ଟର । ପୂର୍ବରୁ ବାଲିଗୁଡା ଥାନା ପରମାପାଙ୍ଗା ପଞ୍ଚାୟତ କୁଙ୍ଗିଆ ଛକ ନିକଟରେ ନକ୍ସଲମାନେ ବ୍ୟାନର ଲଗାଇଥିଲେ। ଏଥିରେ ଭୋଟ୍ ବର୍ଜନ କରିବାକୁ ସେମାନେ ଲୋକଙ୍କୁ ଆହ୍ୱାନ ଦେଇଥିଲେ।ତେବେ ପୁଣିଥରେ ଏଭଳି ପୋଷ୍ଟର ଲାଗିବା ଭୋଟର ଏବଂ ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି ।