କଳାହାଣ୍ଡି (ଏଟିଆର ବ୍ୟୁରୋ); ପୁଣି ଅଲୋଡା ହେଲା ଶିଶୁ କନ୍ୟା । ରାସ୍ତା କଡରେ ଛାଡି ପଳାଇଲା ପିସାଚ ମା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳରେ । ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାନିଙ୍ଗପଦ ଗାଁ ମୁଣ୍ଡ ରାସ୍ତା କଡରେ ଏକ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ ଜଣେ ମହିଳା ।
ମହିଳା ଜଣଙ୍କ ଉକ୍ତ ରାସ୍ତା ଦେଇ ଯାଉଥିବା ସମୟରେ ଏକ କଅଁଳା ପିଲାର କାନ୍ଦ ସେ ଶୁଣିବାକୁ ପାଇଥିଲେ । ପିଲାଟିର କାନ୍ଦ ଶୂୁଣି ମହିଳା ଜଣକ ବିଚଳିତ ହୋଇଯାଇଥିଲେ । ରାସ୍ତା କଡରେ କଅଁଳା ପିଲାର କାନ୍ଦ କେଉଁଠୁ ଆସୁଛି ତାକୁ ନେଇ ତାଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ସେ ଭଲଭାବେ ପିଲାଟିର କାନ୍ଦକୁ ଅନୁସନ୍ଧାନ କରିଥିଲେ । ଏବଂ ପିଲାଟି କାନ୍ଦୁଥିବା ସ୍ଥାନକୁ ଯାଇ ଉଦ୍ଧାର କରିଥିଲେ ।
ମହିଳା ଉଦ୍ଧାର କରିଥିବା ପିଲାକୁ ନେଇ ନିଜ ଗାଁକୁ ଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହାପରେ ଗ୍ରାମବାସୀ ଏନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ଗାଁରେ ପହଁଞ୍ଚିଥିଲା । ତେବେ ପିଲାଟିର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବା ଜଣା ପଡିଛି । ଚିକିତ୍ସା ନିମନ୍ତେ ଶିଶୁକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପିଲାଟିର ପରିଚୟ ଏବେ ପର୍ଯ୍ୟନ୍ତ ମିଳିପାରି ନାହିଁ । କେହି କୁଆଁରି ଅବସ୍ଥାରେ ପିଲା ଜନ୍ମ କରିବା ପରେ ଛାଡି ପଳାଇଥିବା ଗାଁ ଲୋକ ଟୁପୁରୁ ଟାପୁରୁ ହେଉଥିବା ଶୁଣିବାକୁ ମିଳିଛି । ଗ୍ରାମର କିଛି ବୁଦ୍ଧିଜୀବୀ ପିଲାଟି ଝିଅ ପିଲା ହୋଇଥିବାରୁ କେହି ଏମିତି କରିଥାଇପାରେ ବୋଲି ଆଲୋଚନା ହେଉଛି ।