ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯେଉଁ ସବୁ ଅଞ୍ଚଳରୁ କରୋନା ଚିହ୍ନଟ କରାଯାଉଛି । ସରକାରଙ୍କ ପକ୍ଷରୁ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଉଛି । ଏବେ ସେହି କଣ୍ଟେନମେଣ୍ଟ ଜୋନ୍ ପାଇଁ ସରକାର ନୂତନ ଗାଇଡଲାଇନ୍ ଜାରି କରିଛନ୍ତି ।
ସଂକ୍ରମଣକୁ ରୋକିବା ପାଇଁ ନିର୍ଦ୍ଧିଷ୍ଟ ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟ ଘୋଷଣା କରାଯିବ । ଏହି ଅଞ୍ଚଳରେ ପ୍ରବେଶ ନିଷେଧ ହେବା ସହ ଏହାକୁ ବ୍ୟାରିକେଡ କରାଯିବ । ଏହାସହିତ କଣ୍ଟେନମେଣ୍ଟ ଜୋନ୍ ରେ ରହିଥିବା ମହିଳା, ବୟସ୍କ, ପ୍ରସୂତି ଏବଂ ଦିବ୍ୟାଙ୍ଗ ପ୍ରତି ବିଶେଷ ଧ୍ୟାନ ଦିଆଯିବ ।
ଅନ୍ୟପଟେ ଏହି ଜୋନ୍ ରେ ଘରେ ଘରେ ବୁଲି ଅଙ୍ଗନୱାଡି, ଏଏନଏମ, ସ୍ୱାସ୍ଥ୍ୟକର୍ମୀ ଓ ଶିକ୍ଷକ ଟିମ୍ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବେ । ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଫ୍ଲୁ ଭଳି ଲକ୍ଷଣ ଯଥା ଜ୍ୱର , ଥଣ୍ଡା କାଶ ଦେଖାଯାଏ । ତେବେ ସେମାନଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ । ଏହି ଅଞ୍ଚଳରେ ଦୁଇ ରାଉଣ୍ଡ ଲୋଖାଏଁ ସର୍ଭେ କରାଯିବା ପରେ ଯଦି କୌଣସି ନୂତନ ମାମଲା ସାମ୍ନାକୁ ନଆସେ । ତେବେ ଏହି ଅଞ୍ଚଳକୁ ପ୍ରତ୍ୟାହାର କରାଯିବ ।
ସେହିପରି କଣ୍ଟେନମେଣ୍ଟ ଅଞ୍ଚଳମାନଙ୍କରେ ଲୋକଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯିବ ।
ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସମସ୍ତ ଅତିରିକ୍ତ ସଚିବ, ପ୍ରମୁଖ ସଚିବ, ପୋଲିସ ଡିଜି, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ପୋଲିସ , ପୌରନିର୍ବାହ ଅଧିକାରୀ ଏବଂ ମ୍ୟୁନିସିପାଲ କମିଶନରଙ୍କ ପାଖକୁ ଚିଠି ଲେଖାଯାଇଛି ।