ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ପର୍ଯ୍ୟଟଙ୍କ ପାଇଁ ଆସିଲା ଖୁସି ଖବର । ଏଥର ଅଳ୍ପ ଅର୍ଥ ବିନିମୟରେ ବିଦେଶ ବୁଲିପାରିବେ ସାଧାରଣ ଜନତା । ଓଡିଶାର ପର୍ଯ୍ୟଟନ କେନ୍ଦ୍ରକୁ ଆଉ ପାଦେ ଆଗକୁ ନେବା ପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଗ୍ରହଣ କରାଯାଇଛି ନୂଆ ପଦକ୍ଷେପ । ଓଡିଟିସି ପକ୍ଷରୁ ନୂତନ ପ୍ୟାକେଜ ‘ଗୋ ଗ୍ଲୋବାଲ’ ଘୋଷଣା କରାଯାଇଛି । ପ୍ରଥମ ଥର ଲାଗି ଡେଷ୍ଟିନେଶନ ୱେଡିଂ ପ୍ୟାକେଜ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆ ଓ ଦୁବାଇ ଭଳି ୫ଟି ପ୍ରମୁଖ ଡେଷ୍ଟିନେଶନ ସ୍ଥାନ ଓଟିଡିସି ପକ୍ଷରୁ ଘୋଷଣା କରାଯାଇଛି । ଓଟିଡିସି ଅଧ୍ୟକ୍ଷା ଶ୍ରୀମାୟା ମିଶ୍ର କହିଛନ୍ତି, ଏହି ପ୍ୟାକେଜଟି ରାଜ୍ୟ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିଗମ ପକ୍ଷରୁ ଏହି ନୂତନ ବ୍ୟବସ୍ଥା ଆରମ୍ଭ କରାଯାଇଛି ।
ଏହି ପ୍ୟାକେଜର ଦାମ ପକେଟକୁ ସୁହାଇଲା ଭଳି ରଖାଯାଇଥିବା ଅଧ୍ୟକ୍ଷା କହିଛନ୍ତି । ଗତକାଲି ପାନ୍ଥନିବାସଠାରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମୀଳନୀରେ ଏହି ପ୍ୟାକେଜର ଲୋଗ ଉନ୍ମୋଚନ କରାଯିବା ସହ, ଏହି ପ୍ୟାକେଜରେ ଯିବାଆସିବା ସହ ରହଣି ନିମନ୍ତେ ୩ରାତି, ଓ ୪ଦିନର ବ୍ୟବସ୍ଥା ରହିଛି । ଏହା ସହ ଏହି ପ୍ୟାକେଜରେ ଯିବା ଆସିବା ଭଡା, ଭିଜା ଖର୍ଚ୍ଚ, ଭ୍ରମଣ ବୀମା, ହୋଟେଲ ରହଣି, ପ୍ରାତଃ ଭୋଜନ, ରାତ୍ରି ଭୋଜନ ଇତ୍ୟାଦି ସାମିଲ ଥିବା ଅଧ୍ୟକ୍ଷା ସୂଚନା ଦେଇଛନ୍ତି । ତେବେ ଥାଇଲାଣ୍ଡ ପାଇଁ ମୁଣ୍ଡ ପିଚ୍ଛା ଖର୍ଚ୍ଚ ୨୪, ୯୯୦ଟଙ୍କା ଥିବା ବେଳେ , ମାଲେସିଆ ପାଇଁ ମୁଣ୍ଡ ପିଚ୍ଛା ଖର୍ଚ୍ଚ ୨୯, ୯୯୦ଟଙ୍କା , ସିଙ୍ଗାପୁର ପାଇଁ ୩୯, ୯୯୦ଟଙ୍କା, ଇଣ୍ଡୋନେସିଆର ବାଲି ପାଇଁ ୩୪,୯୯୦ଟଙ୍କା ଏବଂ ଦୁବାଇ ନିମନ୍ତେ ଜଣଙ୍କା ମୁଣ୍ଡ ପିଚ୍ଛା ଖର୍ଚ୍ଚ ୫୩, ୯୯୦ଟଙ୍କା ରଖାଯାଇଛି ବୋଲି ଅଧ୍ୟକ୍ଷା ସୂଚନା ଦେଇଛନ୍ତି ।
ଏହି ଅବସରରେ ଓଟିଡିସିର ସଫଳତା ସମ୍ପର୍କରେ ଏମଡି କହିଛନ୍ତି ଓଟିଡିସି ଦ୍ୱାରା ଆରମ୍ଭ କରାଯାଇଥିବା ଇକୋ ରିଟ୍ରିଟରେ ୨ମାସ ମଧ୍ୟରେ ହାରାହାରି ୭୬ପ୍ରତିଶତ ବୁକିଂ ଶେଷ ହୋଇଛି । ସେହିଭଳି ଓଟିଡିସି ପକ୍ଷରୁ ସାତକୋଶିଆ, ଭିତରକନିକା, ମଙ୍ଗଳାଯୋଡ଼ି, ରାଜହଂସ ଓ ବଡ଼କୂଳ ଭଳି ସ୍ଥାନକୁ ଆରମ୍ଭ ହୋଇଥିବା ଦିନିକିଆ ପ୍ୟାକେଜ୍ ପର୍ୟ୍ୟଟକଙ୍କ ଦ୍ୱାରା ସର୍ବାଧିକ ଆଦୃତ ହୋଇଛି। କେବଳ ଇକୋ-ଟୁରିଜମ୍ ପ୍ୟାକେଜ୍ର ୯୦% ବୁକିଂ ରହୁଛି। ଗତ ଡିସେମ୍ବରରେ ଚୁକ୍ତିବଦ୍ଧ ହୋଇଥିବା ‘ମେକ୍ ମାଇଁ ଟ୍ରିପ୍’, ‘ଗୋ-ଆଇବିବୋ’ ଏବଂ ‘ଯାତ୍ରା ଡଟ୍ କମ୍’ ଭଳି ବିଭିନ୍ନ ସଂସ୍ଥା ଦ୍ବାରା ଅନ୍ଲାଇନ୍ରେ ୮୦ଲକ୍ଷ ଟଙ୍କାର ରୁମ୍ ବୁକିଂ ହୋଇପାରିଛି। ବିଗତବର୍ଷ ୩୫ଟି ଉତ୍ସବ ଏବଂ ବିଭିନ୍ନ ବେଳାଭୂମି ଉତ୍ସବରେ ଓଟିଡିସିର ଯୋଗଦାନ ସାଙ୍ଗକୁ କଳା, ସଂସ୍କୃତିର ପ୍ରଚାର ଏବଂ ଓଡ଼ିଆ ଖାଦ୍ୟ ସମ୍ଭାରର ପରିବେଷଣ ଲାଗି ନିଗମ ପ୍ରଶଂସିତ ହୋଇଛି ବୋଲି ଏମଡି ସୂଚନା ଦେଇଛନ୍ତି ।