ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ଦୁଇ ଦିନ ପରେ ପୁଣି ଲାଗୁ ହେବ ନୂଆ ଟ୍ରାଫିକ ନିୟମ । ଏଥିପାଇଁ ଲୋକଙ୍କ ମନରେ ପୁଣି ଛନକା । ଟିକିଏ ନିୟମ ଅବହଳା କରିଲେ ଦେବାକୁ ପଡିବ ମୋଟା ଆକାରର ଫାଇନ । ଏହା ଡରରେ ଲୋକମାନେ ନିଜ ନିଜ କାଗଜପତ୍ର ଠିକ କରିବାରେ ଲାଗିପଡିଲେଣି । ସବୁଠାରୁ ଅଧିକ ଲୋକ ଆରଟିଓ ଅଫିସ ସମ୍ମୁଖରେ ଭିଡ ଲଗାଉଥିବା ଦେଖିବାକୁ ମିଳୁଛୁ । ସମୟ ଯେତେ ସରି ସରି ଆସୁଛି ଆରଟିଓ ଅଫିସ ଆଗରେ ଲୋକଙ୍କ ଭିଡ ସେତିକି ସେତିକି ବଢିବାରେ ଲାଗୁଛି ।
ହାତରେ ଆଉ ସମୟ କମ ଥିବାରୁ ଗାଡି ଚାଳକମାନେ ଲାଇସେନ୍ସ ଓ ଗାଡି ଫିଟନେସ ସାର୍ଟିଫିକେଟ ପାଇବା ପାଇଁ ଆରଟିଓ ଅଫିସ ଆଗରେ ଠେଲା ପେଲା ସହ ବଳ କଷାକଷି କରିବାକୁ ମଧ୍ୟ ପଛାଉନାହାନ୍ତି । ଅଫିସ ୧୦ଟା ବେଳେ ଖୋଲିବାକୁ ଥିବା ବେଳେ ରାତି ତମାମ ଲୋକମାନେ ଅଫିସ ସମ୍ମୁଖରେ ବସିବା ସହ ରାତି ୪ଟା ବେଳୁ ଲମ୍ବାଲାଇନ କରି ଠିଆ ହେଉଥିବାର ଦେଖିବାକୁ ମିଳୁଛି । ଅକ୍ଟୋବର ମାସରେ ଅଚାନକ ଭାବେ ଲାଗୁ ହୋଇଥିବା ନୂଆ ଟ୍ରାଫିକ ନିୟମ ଫଳରେ ଲୋକମାନଙ୍କୁ ଭାରି ଆକାରର ଫାଇନ ଦେବାକୁ ପଡିଥିଲା ।
ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭାବ ସୃଷ୍ଟି ହେବାରେ ଲାଗିଲା । ଯାହାକୁ ଦେଖି ରାଜ୍ୟ ସରକାର ନିୟମକୁ ୨ମାସ କୋହଳ କରିଥିଲେ । ଏବଂ ଏହି ମଧ୍ୟରେ ସମସ୍ତ କାଗଜ ପତ୍ରକୁ ଠିକ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିୟମ କୋହଳ ହେବା ଠାରୁ ଆରଟିଓ ଅଫିସରେ ଯେମିତି ଲୋକଙ୍କର ସୁଅ ଛୁଟିବାରେ ଲାଗିଥିଲା । ଘଣ୍ଟାଘଣ୍ଟା ଲମ୍ବା ଲାଇନରେ ଠଆ ହୋଇଥିଲେ ମଧ୍ୟ କାଉଣ୍ଟର ଅଭାବରୁ ଲୋକମାନଙ୍କ ଠିକ ସମୟରେ କାଗଜ ପତ୍ର ମିଳିପାରୁନାହିଁ । ଯାହା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବା ସହ କୋହଳ ହୋଇଥିବା ସମୟକୁ ଆଉ କିଛି ଦିନ ଘୁଞ୍ଚାଇବାକୁ ଦାବି କରାଯାଉଛି ।