ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଜୁ ପଟ୍ଟନାୟକ ଆର୍ନ୍ତଜାତିକ ବିମାନ ବନ୍ଦରରେ ସୋମବାର ଅପରାହ୍ନ ୨ଟାରେ ଏକ ନୂତନ ପାର୍କିଂ ନିୟମ ଲାଗୁ କରାଯାଇଛି । ବିମାନବନ୍ଦର ପରିସରରେ ଦିନକୁ ଦିନ ବଢୁଥିବା ଗହଳିକୁ ଦୃଷ୍ଟିରେ ରଖି ଏହି ନୂତନ ନିୟମ ଜାରି କରିଛି ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ (ଏଏଆଇ) । ଏଏଆଇ ର ଏହି ନିୟମ ଅନୁଯାୟୀ ବିମାନବନ୍ଦରକୁ ପ୍ରବେଶ କରୁଥିବା ସମସ୍ତ ଘରୋଇ ଗାଡି ଉପରେ ପାର୍କିଂ ଫି ଲାଗୁ ହେବ ନାହିଁ । ସେହିପରି ବ୍ୟବସାୟିକ କାର୍ଯ୍ୟ ପାଇଁ ବିମାନବନ୍ଦରକୁ ପ୍ରବେଶ କରୁଥିବା ଗାଡି ଗୁଡିକ ଉପରେ ବି ଫି ଲାଗିବ ନାହିଁ । ମାତ୍ର ପ୍ରସ୍ଥାନ ଫି ୪୦ ଟଙ୍କା ଦେବାକୁ ପଡିବ ।
ସେପଟେ ବିମାନବନ୍ଦର ପରିସରରେ ଥିବା ପାର୍କିଂରେ ଗାଡି ପାର୍କିଂ କଲେ ସେହି ବାବଦକୁ ଫି ଦେବାକୁ ପଡିବ । ତେବେ ଆସନ୍ତୁ ଜାଣିବା କେତେ ସମୟ ମଧ୍ୟରେ କେଉଁ ଗାଡି ପାଇଁ କେତେ ଟଙ୍କା ଫି ଦେବାକୁ ପଡିବ ।
– ବାଇକ୍ ପାର୍କିଂ ପାଇଁ ୩୦ ମିନିଟ୍ ମଧ୍ୟରେ ୧୦ ଟଙ୍କା, ଦୁଇ ଘଣ୍ଟା ମଧ୍ୟରେ ୧୫ ଟଙ୍କା, ଦୁଇ ଘଣ୍ଟାରୁ ସାତ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୫ ଟଙ୍କା ଅଧିକ ଏବଂ ୨୪ ଘଣ୍ଟା ମଧ୍ୟରେ ୪୫ ଟଙ୍କା ଦେବାକୁ ପଡିବ ।
– କାର୍ ପାର୍କିଂ ପାଇଁ ୩୦ ମିନିଟ୍ ମଧ୍ୟରେ ୨୦ ଟଙ୍କା, ଦୁଇ ଘଣ୍ଟା ମଧ୍ୟରେ ୫୫ ଟଙ୍କା, ଦୁଇ ଘଣ୍ଟାରୁ ସାତ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ଅଧିକ ୧୦ ଟଙ୍କା ଏବଂ ୨୪ ଘଣ୍ଟା ମଧ୍ୟରେ ୧୬୫ ଟଙ୍କା ଦେବାକୁ ପଡିବ ।
– ଟ୍ୟାକ୍ସି/ ଏସୟୁଭି/ ମିନିବସ୍ ପାର୍କିଂ ପାଇଁ ୩୦ ମିନିଟ୍ ମଧ୍ୟରେ ୨୦ ଟଙ୍କା, ଦୁଇ ଘଣ୍ଟା ମଧ୍ୟରେ ୬୦ ଟଙ୍କା, ଦୁଇ ଘଣ୍ଟାରୁ ସାତ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ଅଧିକ ୧୦ ଟଙ୍କା ଏବଂ ୨୪ ଘଣ୍ଟା ମଧ୍ୟରେ ୧୮୦ ଟଙ୍କା ଦେବାକୁ ପଡିବ ।
– କୋଚ୍/ବସ/ଟ୍ରକ ପାର୍କିଂ ପାଇଁ ୩୦ ମିନିଟ୍ ମଧ୍ୟରେ ୩୦ ଟଙ୍କା, ଦୁଇ ଘଣ୍ଟା ମଧ୍ୟରେ ୭୦ ଟଙ୍କା, ଦୁଇ ଘଣ୍ଟାରୁ ସାତ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ଅଧିକ ୧୦ ଟଙ୍କା ଏବଂ ୨୪ ଘଣ୍ଟା ମଧ୍ୟରେ ୨୧୦ ଟଙ୍କା ଦେବାକୁ ପଡିବ ।
ସେହିପରି ବିମାନବନ୍ଦରକୁ ସରକାରୀ ବସ୍ ପ୍ରବେଶ ଉପରେ ଫି ଲାଗିବ ନାହିଁ । ଏହି ନିୟମ ଲାଗୁ ହେବା ପରେ ଯଦି ଆପଣ ଆପଣଙ୍କ ଗାଡିକୁ ବିମାନବନ୍ଦନରର ପ୍ରବେଶ , ପ୍ରସ୍ଥାନ ରାସ୍ତା ଉପରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ଗାଡି ପାର୍କିଂ କରିଦେଉଛନ୍ତି ତେବେ ଆପଣଙ୍କୁ ଜରିମନା ଦେବାକୁ ପଡିବ ବୋଲି ଏଏଆଇ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି ।