ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀର ପାର୍କିଂ ସମସ୍ୟା ବର୍ତ୍ତମାନ ଟ୍ରାଫିକ୍ ନିୟନ୍ତ୍ରଣ ବିଭାଗର ଚିନ୍ତା ବଢାଇଛି । ଅବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥାକୁ ସଜାଡିବା ପାଇଁ ଏକ ନୂଆ ପାର୍କିଂ ନୀତି ଆସିବାକୁ ଯାଉଛି ।
ଆଜି ଉନ୍ନତି ଭବନରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ, କ୍ରୁଟ, ବିଡିଏ, କମିସନରେଟ ପୋଲିସ, ବିଏମସି ଜର୍ମାନର ଜିଆଇଜେଡ୍ ର ଏକ ମିଳିତ ବୌଠକ ବସିଥିଲା । ଭୁବନେଶ୍ୱରକୁ ପାର୍କିଂ ସମସ୍ୟାରୁ ମୁକ୍ତ କରିବା ପାଇଁ ଏହି ବୌଠକରେ ଟ୍ରାଫିକ ଡିସିପି ସାଗରିକା ନାଥ, ସ୍ମାର୍ଟସିଟି ଲିମିଟେଡର ସିଇଓ ପ୍ରେମଚାନ୍ଦ ଚୌଧୁରୀଙ୍କ ସହିତ ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
ଏହି ଆଲୋଚନାରେ ଜିଆଇଜେଡ୍ ଦ୍ୱାରା ପାର୍କିଂ ବ୍ୟବସ୍ଥାକୁ ସଜାଡିବା ପାଇଁ ପ୍ରସ୍ତୁତ ଡିପିଆର୍ ଉପରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା । ନୂଆ ପାର୍କିଂ ନୀତିକୁ କିପରି ସଠିକ ଭାବରେ ଲାଗୁ କରାଯିବ ଏବଂ ଏହି ପଦକ୍ଷେପରେ କେଉଁ କେଉଁ ସଂସ୍ଥାକୁ ଦାୟିତ୍ୱ ଦିଆଯିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା ।
ତେବେ ସୂଚନା ଅନୂସାରେ ଆସନ୍ତା ଦୁଇମାସ ଭିତରେ ଏହି ନୂଆ ପାର୍କିଂ ନୀତି ଲାଗୁ କରାଯିବ । ଏହି ପାର୍କିଂ ନୀତି ରେ କେମିତି ରାଜଧାନୀରେ ଅଧିକରୁ ଅଧିକ ଗାଡି ପାର୍କିଂ ହୋଇପାରିବ, କିପରି ବେଆଇନ ପାର୍କିଂ ମୁକ୍ତ ହେବ, କେଉଁ ଅଞ୍ଚଳରେ ନିଦ୍ଦିଷ୍ଟ ପାର୍କିଂ ବ୍ୟବସ୍ଥା କରାଯିବ, ନୀୟମକୁ ଅବମାନନା କଲେ କଣ ହେବ, କିପରି ଫାଇନ ଆଦାୟ କରାଯିବ ସବୁ ବିଷୟରେ ଲୋକଙ୍କୁ ଅବଗତ କରାଯିବ ।