ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଥର ଦଶହରା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ । ଅପରାହ୍ନ ୩ ଟାରୁ ୫ ଟା ପର୍ଯ୍ୟନ୍ତ ଆରଟିଓ ଅଫିସ ଖୋଲା ରହିବ । ଏହି ସମୟରେ ନୂଆ ଗାଡି କିଣିଥିବା କ୍ରେତା ସେମାନଙ୍କ ଗାଡି ରେଜିଷ୍ଟ୍ରେସନ କରିବେ । ଏନେଇ ପରିବହନ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସୂଚନା ଅନୁସାରେ ୫ରୁ ୮ତାରିଖ ପର୍ୟ୍ୟନ୍ତ ପୂଜା ଛୁଟି ଥିବାରୁ ଏହି ଦିନରେ ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯିବନି। ଦୂର୍ଗାପୂଜା ଅବସରରେ ଗାଡି କିଣୁଥିବା କ୍ରେତା ୫ ଓ ୭ ତାରିଖରେ ଗାଡ଼ି ରେଜିଷ୍ଟ୍ରେସନ୍ କରିପାରିବେ।
ଅନ୍ୟପଟେ ଏଥର କିଭଳି ବିନା ରେଜିଷ୍ଟ୍ରସନରେ ଗାଡି ବିକ୍ରି ନହେବ ସେଇ ଶୋରୂମ ସମେତ ଅରଟିଓଙ୍କୁ ସଚେତନ କରାଯାଇଛି । ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହୋଇଥିବା ନୂଆ ମୋଟର ଭେଇକିଲ ଆକ୍ଟ ଲାଗୁ ହେବା ପରଠାରୁ ଏବେ ଆରଟିଓ ଅଫିସରେ ଶୋରିଷ ବୁଣିବାକୁ ଯାଗା ନାହିଁ । ପ୍ରତ୍ୟକ ଦିନ ଖଚାଖଚ ଭିଡ ଦେଖିବାକୁ ମିଳୁଛି । ଲାଇସେନ୍ସ ଓ ପଲ୍ୟୁସନ , ଇନସ୍ୟୁରାନ୍ସ ପାଇଁ ଲୋକଙ୍କୁ ଘଣ୍ଟାଘଣ୍ଟା ଧରି ଧାଡିରେ ଛିଡା ହେବାକୁ ପଡୁଛି । ଦୁର୍ଗାପୂଜାରେ ନୂଆ ଗାଡି କିଣୁଥିବା ଗ୍ରାହକଙ୍କୁ ଖୁସି କରିବା ପାଇଁ ଏମିତି ନିୟମ ହୋଇଥିବା କୁହାଯାଉଛି ।