ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତ ବର୍ଷ ୭୧ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ପରେଡ ଅନୁଷ୍ଠିତ ହେବାକୁ ଯାଉଛି । ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ ହେବାକୁ ଥିବା ବେଳେ ଏହି ସମୟରେ ଟ୍ରାଫିକ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ କରାଯାଇଛି । ପରେଡ ସମୟରେ କୌଣସି ଗାଡିକୁ ପରେଡ ମାର୍ଗ ଆଡକୁ ଯିବାକୁ ଦିଆଯିବ ନାହିଁ ସ୍ଥିର କରାଯାଇଛି । ସାଧାରଣନ୍ତ୍ର ଦିବସ ନିମନ୍ତେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବା ସହ ଯେପରି କୌଣସି ସମସ୍ୟା ନଉପୁଜେ ସେଥି ନିମନ୍ତେ ଧ୍ୟାନ ଦିଆଯାଇଛି ।
୨୬ତାରିଖ ସକାଳୁ ଜନପଥର ଟ୍ରାଫିକ ସ୍ୱଭାବିକ ଚଳାଚଳ କରିବାକୁ ଥିବା ବେଳେ ମାଷ୍ଟରକ୍ୟାଣ୍ଟିନରୁ ଗାନ୍ଧୀମାର୍ଗକୁ କୌଣସି ଗାଡି ଛଡାଯିବ ନାହିଁ । ସେହିଭଳି ସଚ୍ଚିବାଳୟ ମାର୍ଗରେ ହାଉସିଂ ବୋର୍ଡରୁ ପିଏମଜି ପଟକୁ ଆସୁଥିବା ଗାଡି ଗୁଡିକ ରବୀନ୍ଦ୍ର ମଣ୍ଡପଠାରୁ ଆଗକୁ ଯିବାକୁ ଦିଆଯିବ ନାହିଁ । ଅନ୍ୟପଟେ ଏଜି ଛକରୁ ପିଏମଜି ପଟକୁ ଆସୁଥିବା ଗାଡିଗୁଡିକ ଇନ୍ଦିରାଗାନ୍ଧୀ ପାର୍କଠାରୁ ଆଗକୁ ଆସିବାକୁ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି ।
ସେହିପରି ୧୨୦ ବଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଛକ ଆଡକୁ ଆସୁଥିବା ଗାଡିଗୁଡିକୁ ବିଧାୟକ କଲୋନୀଠାରେ ଅଟକାଯାଇ ସେମାନଙ୍କ ଗତିପଥ ବଦଳାଯିବ । ଅପରପକ୍ଷରେ ରେଲୱେ ଷ୍ଟେସନ ପାଖ ବସଷ୍ଟାଣ୍ଡ, ମାଷ୍ଟରକ୍ୟାଣ୍ଟିନ, କଂଗ୍ରେସ ଭବନ, ଇଡକଲ ଅଡିଟୋରିୟମ ପାଖ ପଡିଆ, ଜୟଦେବ ଭବନ, ୟୁନିଟ-୩ ଏସବିଆଇ, ରବୀନ୍ଦ୍ର ମଣ୍ଡପ ଓ ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ଲୋକମାନେ ଗାଡିଗୁଡିକୁ ପାର୍କିଂ କରିପାରିବେ ।