ଭୁବନେଶ୍ୱର,(ଏଟିଆରବ୍ୟୁରୋ): ରାସନ କାର୍ଡ ନମିଳିବାରୁ ଆଜି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାହା ପୁଣି ବ୍ଲକ କାର୍ଯ୍ୟାଳୟ ଛାତ ଉପରକୁ ଚଢ଼ି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନିଆଳି ଅଞ୍ଚଳରେ । ଏହି ଘଟଣାକୁ ନେଇ ଏବେ ପୂରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ ନାଁ ବବିତା ମହାରଣା ବୋଲି ଜଣାପଡିଛି ।
ତେବେ ଘଟଣାପରେ ନିଆଳି ଉପାଧ୍ୟକ୍ଷ ଖୋଦ ନିଜେ ବବିତାଙ୍କୁ ବୁଝାସୁଝା କରିଛନ୍ତି । ରିପୋର୍ଟ ଅନୁସାରେ, ଦିନେ କି’ ଦୁଇଦିନ ନୁହେଁ ଗଲା ୩ମାସ ହେବ ରାସନ କାର୍ଡ ଖଣ୍ଡେ ପାଇବା ଲାଗି ବବିତା ବ୍ଲକ କାର୍ଯ୍ୟାଳୟକୁ ଧାଉଁଥିଲେ । ହେଲେ କେହି ବି ତାଙ୍କ କଥା ଶୁଣିନଥିଲେ । ଦୌଡି ଦୌଡି ନୟାନ୍ତ ହେବା ପରେ ଆଜି ବାଧ୍ୟ ହୋଇ ସେ ଆତ୍ମହତ୍ୟା କରିବା ଲାଗି ବ୍ଲକ କାର୍ଯ୍ୟାଳୟ ଛାତ ଉପରକୁ ଚଢ଼ିଯାଇଥିଲେ ।
ସେଠାରୁ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ ବ୍ଲକ କାର୍ଯ୍ୟାଳୟକୁ ଆସିବା ଲୋକେ ରୁଣ୍ଡ ହୋଇ ବବିତାଙ୍କୁ ବୁଝାସୁଝା କରିଥିଲେ । ପରେ ବ୍ଲକ ଅଧ୍ୟକ୍ଷ ପହଞ୍ଚି ଭରସା ଦେବା ପରେ ଶେଷରେ ବବିତା ଛାତ ଉପରୁ ଓହ୍ଲାଇଥିଲେ ।