ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଜାଳିଲା ବେଳକୁ ହେଳା ନାହିଁ । ଆଗପଛ ଚାରିଆଡେ କନେକ୍ସନ । ସେଥିରେ ପୁଣି ଏସିଠୁ ନେଇ କାହିଁ କେତେ କ’ଣ ଲଗାଯାଇଛି । ହେଲେ ଟଙ୍କା ଦେବା କଥା ପଡିଲେ ପଛଘୁଞ୍ଚା । ସେପଟେ ପୁଣି ଏଥିପାଇଁ ଭରା ଇନକମ କରୁଛି । ରୋଗୀଙ୍କ ସମ୍ପର୍କୀୟଙ୍କଠୁ ମୋଟା ଅଙ୍କର ଟଙ୍କା ନେଉଛି । ଷ୍ଟାଫମାନଙ୍କୁ ବି ଅଏସ ଆରାମ କରିବା ଲାଗି ସବୁ ସୁବିଧା ଯୋଗାଇ ଦେଇଛି । ହେଲେ ଇଲେକ୍ଟ୍ରି ବିଲ ଦେବା ବେଳକୁ ପୂରା ଜାକି ହେଉଛନ୍ତି । ଆମେ କହୁଛୁ ସବୁ ବେଳେ ବିବାଦ ଘେରରେ ରହୁଥିବା ନିଳାଚଳ ହସପିଟାଲ କଥା ।
ଢ଼େରଦିନ ହେବ ହସିପଟାଲ କର୍ତ୍ତୃପକ୍ଷ ଇଲେକ୍ଟ୍ରି ବିଲ ଦେଇ ନାହାଁନ୍ତି । ସବୁଠୁ ବଡ଼ କଥା ହେଉଛି ହସପିଟାଲ ଇଲେକ୍ଟ୍ରି ବିଲ ନଦେବା ଏହା ପ୍ରଥମ ଘଟଣା ନୁହେଁ । ବିଗତ ଦିନର ରେକର୍ଡକୁ ଦେଖିଲେ ଏହା ଏକ ପୂରୁଣା ରୋଗ ବୋଲି ସ୍ପଷ୍ଟ ଜଣାପଡେ । ସବୁବେଳେ ହସପିଟାଲ କର୍ତ୍ତୃପକ୍ଷ ଇଲେକ୍ଟ୍ରି ବିଲ ଦେବାରେ ଅବହେଳା କରିଛନ୍ତି । ପରିସ୍ଥିତି ଏମିତି ଉପୁଜିଛି ଯେ, ବାଧ୍ୟ ହୋଇ ସେସୁ କର୍ତ୍ତୃପକ୍ଷ ହସପିଟାଲ ଲାଇନ ମଧ୍ୟ କାଟିଥିବାର ନଜିର ରହିଛି । ତଥାପି ଚେତା ପଶିନଥିବା ବେଳେ ଆଜି ମଧ୍ୟ ସମାନ ପରିସ୍ଥିତି ଉପୁଜିଛି ।
ଇଲେକ୍ଟ୍ରି ବିଲ ଦେଇନଥିବା ଯୋଗୁ ଆଜି ପୁଣି ଥରେ ହସପିଟାଲ କର୍ତ୍ତୃପକ୍ଷଙ୍କୁ ଭେଟିଛନ୍ତି ସେସୁ କର୍ମଚାରୀ । ତେବେ ଏଠାରେ ପ୍ରଶ୍ନ ଉଠୁଛି ହସପିଟାଲ ଭଳି ଏକ ଜରୁରୀକାଳୀନ ସେବାରେ ଏମିତି କାହିଁକି ସମସ୍ୟା ଦେଖାଦେଉଛି? କାହିଁକି ଢ଼ିଲା ମାରୁଛନ୍ତି ହସପିଟାଲ କର୍ତ୍ତୃପକ୍ଷ? ରୋଗୀଙ୍କଠୁ ଟଙ୍କା ନେବାରେ ଆଦୌ ହେଳା କରୁନଥିବା ନିଳାଚଳ ହସପିଟାଲ ଇଲେକ୍ଟ୍ରି ବିଲ ଦେବା ବେଳକୁ ଜାକି ହେଉଛି କ’ଣ ପାଇଁ? ବାସ୍ତବରେ ବାରମ୍ବାର ଏଭଳି କରିବାର ଉଦ୍ଦେଶ୍ୟ କ’ଣ? ଇଲେକ୍ଟ୍ରି ବିଲ ଠକି ସେସୁକୁ ଚୂନ ଲଗାଇବା ହସପିଟାଲର ମୂଳ ଲକ୍ଷ୍ୟ ନୁହେଁ ତ?
ଏମିତି ଅନେକ ପ୍ରଶ୍ନ ଏବେ ହସପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ଉଠିଛି । ସେପଟେ ଇଲେକ୍ଟ୍ରି ବିଲ ନମିଳିଲେ ପୁଣିଥରେ ଲାଇନ କଟାଯିବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ସେସୁ କର୍ମଚାରୀ । ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ହସପିଟାଲ ପକ୍ଷରୁ ବିଦ୍ୟୁତ ବିଲ ଦିଆଯାଇନଥିବା ସୂଚନା ମିଳିଛି । ଅନଲାଇନରେ ଟଙ୍କା ଡିପୋଜିଟ କରାଯିବ ବୋଲି ହସପିଟାଲ କର୍ତ୍ତୃପକ୍ଷ କହିଥିବା ସେସୁର ଜଣେ କର୍ମଚାରୀ ପ୍ରକାଶ କରିଛନ୍ତି ।