ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଅମୁକ ଯୋଜନା ସମୁକ ଯୋଜନା କରୁଛନ୍ତି । ହେଲେ ଏଯାବତ୍ ଗାଁକୁ ଆମ୍ବୁଲାନ୍ସ ଯାଇପାରୁନି ତା’ ଉପରେ କିନ୍ତୁ ଗୁରୁତ୍ୱ ଦେଉନାହାନ୍ତି ରାଜ୍ୟ ସରକାର । ଆମେ ଏଥିପାଇଁ ଏମିତି କହୁଛୁ କାରଣ ଆମ୍ବୁଲାନ୍ସ ଯାଇପାରୁନଥିବା କାରଣରୁ ଆଜି ପୁଣି ଜଣେ ବଣ୍ଡା ସମ୍ପ୍ରଦାୟର ଯୁବତୀଙ୍କୁ ଭାରରେ ବୁହାଯାଇ ହସପିଟାଲ ଅଣାଯାଇଥିବା ଘଟଣା ପଦାକୁ ଆସିଛି ।
ଗତକାଲି ମୁଦୁଲିପଡା ସ୍ଥିତ ବଡ଼ପଡ଼ା ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଗାଁକୁ ଆମ୍ବୁଲାନ୍ସ ନଆସିବା ଯୋଗୁ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଭାରରେ ବୋହି ହସପିଟାଲ ନେଇଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ, ଗାଁରେ ଟୋକି ପର୍ବ ଚାଲିଥିଲା । ଅଚାନକ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ଯୁବତୀ ଅଚାନକ ଅସୁସ୍ଥ ହୋଇପଡିଥିଲେ । ଗାଁକୁ ଆମ୍ବୁଲାନ୍ସ ନଆସିବା କାରଣରୁ ଭାରରେ ପାହାଡ,ନଈ, ନାଳ ଡେଇଁ ଲୋକେ ଯୁବତୀଙ୍କୁ ହସପିଟାଲ ନେଉଥିଲେ ।
ତେବେ ଭାଗ୍ୟଭଲ ପାଖାପାଖି ୨କିମି ବୋହିବା ପରେ ଅଚାନକ ଏକ ପର୍ଯ୍ୟଟକ ଗାଡିକୁ ସେମାନେ ହାବୁଡିଥିଲେ । ପରେ ଗାଡିରେ ଯୁବତୀଙ୍କୁ ନିଆଯାଇ ହସପିଟାଲରେ ପହଞ୍ଚାଯାଇଥିଲା । ଫଳସ୍ୱରୂପ ଯୁବତୀଙ୍କ ଜୀବନ ବଞ୍ଚି ପାରିଥିଲା । ତେବେ ଏଭଳି ସମସ୍ୟା ଆଜିକାର ନୁହେଁ । ବରଂ ଢ଼େରଦିନର । ସରକାରଙ୍କ ନଜର ଆଢ଼ୁଆଳରେ ଏରିଆଟି ରହୁଥିବା ଯୋଗୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି । ଉନ୍ନତ ସାଙ୍ଗକୁ ତ୍ୱରିତ ଚିକିତ୍ସା ସେବା ଯୋଗାଇବା ଲାଗି ରାଜ୍ୟ ସରକାର ହସପିଟାଲଠୁ ଆରମ୍ଭ କରି ରାସ୍ତାରେ ୧୦୨/୧୦୮ ଆମ୍ବୁଲାନ୍ସ ଗଡାଉଛନ୍ତି । ହେଲେ ଭାରରେ ତ’ ପୁଣି କେତେବେଳେ ଖଟିଆରେ ରୋଗୀଙ୍କୁ ବୁହାହେବା ଘଟଣା ସାମ୍ନାକୁ ଆସିବା ପ୍ରମାଣ କରୁଛି ଯୋଜନା କେବଳ ଲୋକ ଦେଖାଣିଆ । ସବୁଠୁ ବଡ଼ କଥା ହେଉଛି ରାସ୍ତା କଥା ଦୂରେ ଥାଉ ଲୋକଙ୍କୁ ସ୍ଥାନୀୟ ଅଞ୍ଚଳରେ ଏଯାବତ୍ ମୋବାଇଲ ନେଟୱାର୍କ ସୁବିଧା ମଧ୍ୟ ମିଳିନାହିଁ ବୋଲି ଜଣାପଡିଛି ।