ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଆଉ ମାତ୍ର କେଇଟା ଘଣ୍ଟାପରେ ଅବପାତର ରୂପନେବ । ଯାହାକୁ ନେଇ ଓଡିଶାବାସୀଙ୍କୁ ଏବେ ବାତ୍ୟା ଭୟ । ବାତ୍ୟା ଫୋନିର ସେଇ କରାଳ ଚିତ୍ର ଏବେବି ଲୋକଙ୍କ ମନରୁ ଲିଭିନି ପୁଣି ଏକ ବାତ୍ୟା କଥା ଶୁଣୁ ଭୟଭିତ ହୋଇପଡିଛନ୍ତି ଓଡିଶାବାସୀ । ତେବେ ଏହି ବାତ୍ୟା (ବୁଲବୁଲ)ର ପ୍ରଭାବ ଓଡିଶା ଉପରେ ସେତେ ଅଧିକ ପଡିବ ନାହିଁ ବୋଲି ସୂଚନା ମିଳିଛି ।
ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇବ । ଏହାର ପ୍ରଭାବ ଓଡିଶା ଉପରେ ପଡିବାର ସମ୍ଭାବନା କମ୍ ରହିଛି ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଂଜୟ ମହାପାତ୍ର । ଯାହାର ପ୍ରଭାବରେ ଆସନ୍ତା ୮ ତାରିଖ ଠାରୁ ୧୦ ତାରିଖ ମଧ୍ୟରେ ରାଜ୍ୟର ଉପକୂଳ ଓଡିଶା ଓ ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି । ଆଜିଠାରୁ ଆକାଶ ମେଘାଛନ୍ନ ରହିବ।
ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ପ୍ରାୟ ୫୦ କି.ମି ବେଗରେ ପବନ ବୋହିବ ବୋଲି ପୂର୍ବାନୁମାନ କରାଯାଉଛି। ଗଭୀର ସମୁଦ୍ର ମଧ୍ୟରୁ ମତ୍ସଜୀବୀମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପାଣିପାଗ ବିଭାଗ ସତର୍କ କରିଛି। ଅନ୍ୟପଟେ ସମ୍ଭାବ୍ୟ ଭୀଷଣ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କର ଛୁଟି ବାତିଲ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।ଅନ୍ୟପଟେ ବାତ୍ୟା ଉପକୂଳ ଛୁଇଁବା ସମ୍ଭାବନା ନଥିବାରୁ ବାତ୍ୟାକୁ ନେଇ ଭୟଭୀତ ନ ହେବାକୁ ସରକାର ପରାମର୍ଶ ଦେଇଛନ୍ତି ।