ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସପିଂ ମଲ ହେଉ ବା ମାର୍କେଟ ସବୁଠି ଗାଡି ରଖିଲେ ଦେବାକୁ ପଡୁଛି ଟଙ୍କା । ତେବେ ଏବେ ଆଉ ମାଲିକମାନେ ଗ୍ରାହାକଙ୍କଠାରୁ ଲୁଟିପାରିବେନି । ଏନେଇ ଗୁଜୁରାଟ ହାଇକୋର୍ଟ ସୂଚନା ଦେଇଛନ୍ତି । ଏହି ବ୍ୟବସ୍ଥା ବର୍ତ୍ତମାନ ଅହମ୍ମଦାବାଦରେ ବିଭିନ୍ନ ସପିଂ ମଲ୍, ମଲ୍ଟିପ୍ଲେକ୍ସରେ ପାର୍କିଂ ମାଗଣା ଲାଗୁ ହୋଇଛି । ହେଲେ ଭୁବନେଶ୍ୱରରେ ଏହା ଲାଗୁ ହୋଇପାରୁନି।
ସପିଂ ମଲ୍, ସିନେମା ହଲ୍ରେ ପାର୍କିଂ ଫି’ ଆଦାୟ ହେଉଥିବାରୁ ଲୋକମାନେ ବେଆଇନ ଭାବେ ରାସ୍ତାରେ ଗାଡ଼ି ପାର୍କିଂ କରୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏହାକୁ ନଜରରେ ରଖି ଅହମ୍ମଦାବାଦ କମିସନରେଟ୍ ପୁଲିସ ପକ୍ଷରୁ ସମସ୍ତ ସପିଂ ମଲ୍, ମଲ୍ଟିପ୍ଲେକ୍ସରେ ପାର୍କିଂ ଫି’ ଆଦାୟ ବେଆଇନ ଘୋଷଣା କରାଯାଇଥିଲା। କିନ୍ତୁ ବିଭିନ୍ନ ମଲ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରେ ହାଇକୋର୍ଟଙ୍କ ଏକ ବେଞ୍ଚ ମାମଲାର ଶୁଣାଣି କରି ପୁଲିସ ସପକ୍ଷରେ ରାୟ ଦେଇଛନ୍ତି। ବ୍ୟବସାୟିକ ପ୍ରତିଷ୍ଠାନ ବ୍ୟବସାୟ କରୁଥିବାରୁ ସେମାନେ ଗ୍ରାହକଙ୍କୁ ସେବା ଯୋଗାଉଛନ୍ତି। ତେଣୁ ପାର୍କିଂ ଫି’ ଆଦାୟ କରିପାରିବେନି ବୋଲି କୋର୍ଟ ରାୟ ଦେଇଛନ୍ତି।
ପୁଲିସ କମିସନର୍ ସତ୍ୟଜିତ ମହାନ୍ତି କହିଛନ୍ତି, ଗୁଜୁରାଟ ହାଇକୋର୍ଟ ସପିଂ ମଲ୍, ମଲ୍ଟିପ୍ଲେକ୍ସରେ ହେଉଥିବା ବେଆଇନ ପାର୍କିଂ ଫି’ ଆଦାୟ ନେଇ କ’ଣ ରାୟ ଦେଇଛନ୍ତି, ମୁଁ ପଢ଼ିନି। କିନ୍ତୁ ଯଦି ବିଡିଏ, ବିଏମ୍ସିର ଏନେଇ କିଛି ନିୟମ ଥିବ ବା ପୋଲିସ କିଛି କାର୍ୟ୍ୟାନୁଷ୍ଠାନ କରିବାର ନିୟମ ଥିବ, ସେନେଇ ଆମେ ଆଲୋଚନା କରି ପଦକ୍ଷେପ ନେବୁ। ତେବେ ଦେଖିବାକୁ ବାକି ରହିଲା ରାଜଧାନୀରେ ଏହା କେବେ ଲାଗୁ ହେବ ।