ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ଆନ୍ଦୋଳନ କରିପାରିବେ ନାହିଁ ଅଧ୍ୟାପକ । ଆନ୍ଦୋଳନ କରିଲେ ମିଳିବନି ସେହିଦିନର ଦରମା । ଏହାଛଡା ଆନ୍ଦୋଳନ କରିଲେ ଚାକିରୀ ହରାଇବେ ଅଧ୍ୟାପକ । ଏପରି କିଛି ନିୟମ ଆଣିଛନ୍ତି ରାଜ୍ୟ ସରକାର । ଏଣିକି କାମ ନକରି ଆନ୍ଦୋଳନ କରିଲେ ଲାଗୁ ହେବ ‘ନୋ ୱାର୍କ ନୋ ପେ’ ନିୟମ । ଏନେଇ ଚେତାବନୀ ଦେଇଛନ୍ତି ସରକାର । ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡିକର ଅଧ୍ୟାପକ ଓ ଅଣ ଶିକ୍ଷା କର୍ମଚାରୀ ମାନେ ଯଦି ଛୁଟି ମଞ୍ଜୁର ନହୋଇ ଛୁଟିରେ ରୁହନ୍ତି ତେବେ ଲାଗୁ ହେବ ‘ନୋ ୱାର୍କ ନୋ ପେ’ ନିୟମ ।
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆସିଯାଇଛି ଏହିଭଳି କଡା ନିୟମ । ଏନେଇ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜକୁ ଉଚ୍ଚ ଶିକ୍ଷା ସଚିବ ଚିଠି ଲେଖିଛନ୍ତି । ଏହି ଚିଠିରେ ଉଲ୍ଲେଖ କରାଯାଇଛି କି, କେବଳ ସମ୍ପୃକ୍ତ କଲେଜର ଉଚ୍ଚ କତ୍ତୃପକ୍ଷଙ୍କ ସ୍ୱୀକୃତିରେ ହିଁ ଅଧ୍ୟାପକମାନେ ଛୁଟିରେ ରହିପାରିବେ । ଏହାଛଡା ଛୁଟିରେ ରହି ରାଲି, ଧାରଣା, ହରତାଲରେ ଭାଗ ନେଇ ପାରିବେ ନାହିଁ ବୋଲି ଚିଠିରେ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଯଦି ଅଧ୍ୟାପକମାନେ କାର୍ଯ୍ୟରେ ଯୋଗ ନଦେଇ ଆନ୍ଦୋଳନ କରନ୍ତି ତେବେ ସେମାନଙ୍କ ଉପରେ ନୋ ୱାର୍କ ନୋ ପେ ନିୟମ ଲାଗୁ ହେବ । ଏହାଛଡା ଅଧ୍ୟାପକ ଯଦି ସରକାରୀ କଲେଜରେ କାର୍ଯ୍ୟରତ ଥିବେ ତେବେ ତାଙ୍କୁ ଆଗୁଆ ଅବସର ପାଇଁ କୁହାଯିବ । ସେହିଭଳି ଅନୁଦାନପ୍ରାପ୍ତ ଅଧ୍ୟାପକ ହୋଇଥିଲେ , ସପୃକ୍ତ କଲେଜର ଅନୁଦାନ ପ୍ରତ୍ୟାହାର ହେବ । ଯେପରି କୌଣସି ଅଧ୍ୟାପକ ଛୁଟିରେ ରହି ଆନ୍ଦୋଳନରେ ସାମିଲ ହେଉନଥିବେ ସେଥିପ୍ରତି ଅଧ୍ୟକ୍ଷ ସୁନିଶ୍ଚିତ କରିବେ । ଏହାଛଡା ଯଦି ଆନ୍ଦୋଳନରେ ସାମିଲ ହେବା ପାଇଁ ଅଧ୍ୟକ୍ଷ ଛୁଟି ଦିଅନ୍ତି ତେବେ ସେଥିପାଇଁ ଅଧ୍ୟକ୍ଷ ଦାୟୀ ରହିବେ ଚିଠିରେ ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଛି ।