ପୁରୀ (ଏଟିଆର ବ୍ୟୁରୋ): ନିକଟରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ବିଳମ୍ବ ଏବଂ ନୀତି ବିଭ୍ରାଟକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ୩୪ ଜଣ ସେବାୟତଙ୍କ ନାଁରେ ନୋଟିସ୍ ଜାରି କରାଯାଇଛି । ଏହାସହିତ ଗୋଟେ ସପ୍ତାହ ଭିତରେ ଉତ୍ତର ରଖିବାକୁ କୁହାଯାଇଛି ।
ଗତ ଡିସେମ୍ବର ୨୭ ତାରିଖରେ ଶ୍ରୀମନ୍ଦିର ପରିସରରେ ସେବାୟତ ଏବଂ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ ଏଥିରେ ଜଣେ ସେବାୟତ ଆହତ ହୋଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ତଥା ପୋଲିସ୍ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ଡିସେମ୍ବର ୨୮ ତାରିଖରେ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ ସେବାୟତ । ସିଧାକହିବାକୁ ଗଲେ ଯିଏ କୋଟି କୋଟି ଭକ୍ତଙ୍କ ଆହାରଦାତ୍ତା ତାଙ୍କୁ ହିଁ ଖାଡା ଉପାସ ରଖିଦେଇଥିଲେ ସେବାୟତ । ଏହାସହିତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବାରୁ ବଞ୍ଚିତ ଥିଲେ । ଏନେଇ ପୁରୀ ଶ୍ରୀମନ୍ଦିର ସାମ୍ନାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ଏହି ମାମଲାର ସାମଧାନ କରାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା ।