ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଉ ମାତ୍ର ଦେଢ ମାସରେ ଚଳିତ ବର୍ଷର ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଛି । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ଟ୍ୟାକ୍ସ ଆଦାୟ ନେଇ ତତ୍ପରତା ଦେଖାଇଛି ।
ବର୍ତ୍ତମାନ ଯେଉଁମାନେ ଘରର ହୋଲ୍ଡିଂ ଟ୍ୟାକ୍ସ ବାକି ରଖିଛନ୍ତି ବିଏମସି ସେମାନଙ୍କୁ ତାଗିଦ କରିଛି । ଏଣିକି ହୋଲ୍ଡିଂ ଟ୍ୟାକ୍ସ ଦେବାରେ ଖିଲାପ ହେଲେ ବିଏମସି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏଥିସହିତ ବିଏମସି ପକ୍ଷରୁ ଖିଲାପକାରୀ ମାନଙ୍କୁ ନୋଟିସ ଜାରି କରାଯାଇଛି । ଆସନ୍ତା ଫେବୃଆରୀ ୨୦ ଭିତରେ ବାକି ଥିବା ହାଉସ ହୋଲ୍ଡିଂ ଟ୍ୟାକ୍ସ ପୈଠ ନକଲେ ଓଡ଼ିଶା ପବ୍ଳିକ୍ ଡିମାଣ୍ଡ ରିକଭର ଆକ୍ଟ-୧୯୬୨ ଅନୁଯାଇ ଟିକସ ଆଦାୟ କରାଯିବ । ଏଥି ସହିତ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆକ୍ଟ-୨୦୦୩ ଅନୁଯାଇ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।
ଗତ ଗୋଟିଏ ସପ୍ତାହ ହେଲା ବିଏମସି ଟ୍ୟାକ୍ସ ଆଦାୟ କରିବା ପାଇଁ ଏକ ନୂଆ ଉପାୟ ବାହାର କରିଛି । କିନ୍ନରମାନଙ୍କୁ ନିଯୁକ୍ତ କରି ଭୁବନେଶ୍ୱର ବାସୀଙ୍କ ଠାରୁ ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରୁଛି ବିଏମସି ।