ପିପିଲି(ଏଟିଆର ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ ।ଆଗାମୀ ଏପ୍ରିଲ ୧୭ ତାରିଖରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟଗ୍ରହଣ କରାଯିବ ।ମାର୍ଚ୍ଚ ୩୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ଅପ୍ରେଲ ୩ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଅପ୍ରେଲ ୧୭ରେ ଅନୁଷ୍ଠିତ ହେବ ପିପିଲି ଉପନିର୍ବାଚନ ।
୮୦ ବର୍ଷରୁ ଅଧିକ, ଦିବ୍ୟାଙ୍ଗ ଓ କରୋନା ସଂକ୍ରମିତଙ୍କ ପାଇଁ ପୋଷ୍ଟାଲ ବାଲାଟ୍ ବ୍ୟବସ୍ଥା କରାଯାଇଛି। ନିର୍ବାଚନରେ ସଂଶ୍ଳିଷ୍ଟ ଥିବା ସମସ୍ତ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ବିବେଚନା କରାଯିବ। ସମସ୍ତଙ୍କୁ ଠିକ୍ ସମୟରେ ଟିକାକରଣ ମଧ୍ୟ କରାଯିବ। ପ୍ରଚାର ବେଳେ ବେଶି ସଂଖ୍ୟାରେ ଗାଡ଼ି ବ୍ୟବହାର କରିପାରିବେ। କିନ୍ତୁ ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ରହିବ।
ବିଜେଡି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବ ନା ଆଉ କାହାକୁ ପ୍ରାର୍ଥୀ କରିବ, ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ।ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରଠାରୁ ଏହି ଆସନଟି ଖାଲି ପଡିଛି । ତାଙ୍କ ପତ୍ନୀ ପ୍ରାର୍ଥୀ ହେବାକୁ ଚାହୁଁଥିବା ବେଳେ ତାଙ୍କ ପୁଅ ମଧ୍ୟ ଟିକେଟ୍ ପାଇବାକୁ ଆଶା ରଖିଛନ୍ତି। ଆଉ ଏହାକୁ ନେଇ ରାଜ୍ୟରେ ଜୋର ଚର୍ଚ୍ଚା ଚାଲିଛି।