ଭୁବନେଶ୍ୱର(ଏଟିଆର ବ୍ୟୁରୋ): କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡିବା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି । ତେବେ କିନ୍ନର ମାନେ କିଭଳି ଭଲ ଭାବରେ ଜୀବନ ଯାପନ କରିବେ ତାହାକୁ ନେଇ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଏବେ ହୋଲ୍ଡିଂ ଟ୍ୟାକ୍ସ ଓ ଟ୍ରେଡ ଲାଇସେନ୍ସ ଆଦାୟ କରିବେ କିନ୍ନର । ଏନେଇ ଭୁବନେଶ୍ୱର ମହାନଗର ନିଗମ ସହ ଟିଜି ସ୍ୱୀକୃତି ଏସଏଚଜି ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ଟିଜି ସ୍ୱୀକୃତି ଏସଏଚଜି ସଭାନେତ୍ରୀ ମେଘନା ସାହୁଙ୍କ ସହ ବିଏମସି ରାଜସ୍ୱ ବିଭାଗ ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି ।
ଏହି ଚୁକ୍ତି ଗୋଟିଏ ବର୍ଷ ପାଇଁ ସ୍ୱାକ୍ଷରିତ କରାଯାଇଛି । ପ୍ରତି ମାସର ପଞ୍ଚମ ଦିନରେ ବିଏମସି ପକ୍ଷରୁ କିନ୍ନର ମାନଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରାଯିବ । ଏହାସହ ଆଇଡେଣ୍ଟି କାର୍ଡ, ଗାଡି ଓ ତେଲ ମଧ୍ୟ ଯୋଗାଇ ଦିଆଯିବ । ଅନ୍ୟପଟେ ୬୦ଲକ୍ଷ ଆଦାୟରେ ୧.୫% ଓ ୪୦ ଲକ୍ଷ ଆଦାୟରେ ୧% କିନ୍ନର ମାନଙ୍କୁ ଦିଆଯିବାର ଯୋଜନା ରହିଛି । ଏହି ସବୁ କାର୍ଯ୍ୟର ଦାୟିତ୍ୱରେ ରହିବେ ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର । ତେବେ ପ୍ରଥମ ଥର ପାଇଁ କିନ୍ନରମାନଙ୍କ ସହ ଏହି ଭଳି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ବେଳେ ଆଗକୁ ଅନ୍ୟ ଏସଏଚଜି ସହ ମଧ୍ୟ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି ।