ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ଦିନ ଠାରୁ ଲୋକ ମାନେ ନିଜର ଗାଡି କାଗଜ ପତ୍ର ଓ ଡ୍ରାଇଭିଂ ଲାଇସେନ୍ସ କରିବାରେ ଲାଗି ପଡିଛନ୍ତି । ଏହାକୁ ନେଇ ଆରଟିଓ ଅଫିସରେ ଲମ୍ବା ଲାଇନରେ ଲୋକ ମାନଙ୍କୁ ଠିଆ ହେବାକୁ ପଡୁଥିବାର ଦେଖିବାକୁ ମିଳିଛି । ତେବେ ଏହାକୁ ନଜରରେ ରଖି ବର୍ତ୍ତମାନ ଅନଲାଇନରେ ସଙ୍ଗେ ସଙ୍ଗେ ଲର୍ଣ୍ଣିଂ ଲାଇସେନ୍ସ ଦେବାର ବ୍ୟବସ୍ଥା କରାଯାଇଛି । ଏଣିକି ଅନ ଲାଇନରେ ଆବେଦନ କରି ତତକ୍ଷଣାତ ଟେଷ୍ଟ ଦେଇ ଲର୍ଣ୍ଣିଂ ଲାଇସେନ୍ସ ହାସଲ କରି ହେବ । ଲାଇସେନ୍ସ ଆବେଦନକାରୀଙ୍କୁ ଅନୁମୋଦନ ନେବା ପାଇଁ ଥିବା ଜରୁରୀ ବ୍ୟବସ୍ଥାକୁ ଆଜି ଠାରୁ ରାଜ୍ୟସରକାର ଉଚ୍ଛେଦ କରିଛନ୍ତି । ରାଜ୍ୟ ପରିବହନ କମିସନର ସଞ୍ଜୀବ କୁମାର ପଣ୍ଡା କହିଛନ୍ତି ଯେ, ଆବେଦନକାରୀଙ୍କୁ ଏଣିକି ଲର୍ନିଂ ଲାଇସେନ୍ସ ପାଇଁ ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଯିବା ପଡିବ ନାହିଁ ।
ଆବେଦନକାରୀ ମାନେ ଅନଲାଇନରେ ନିଜର ଆବଶ୍ୟକ ଦସ୍ତାବିଜ ସହ ଅନଲାଇନରେ ଆବେଦନ କରିବେ । ଏହା ପରେ ଟ୍ରାଫିକର ୧୦ଟି ନିୟମ ଉପରେ ପ୍ରଶ୍ନ ଆସିବ । ସେଥିମଧ୍ୟରୁ ୬ଟି ପ୍ରଶ୍ନର ଉତ୍ତର ଠିକ ଦେଲେ ସଙ୍ଗେ ସଙ୍ଗେ ଲର୍ଣ୍ଣିଂ ଲାଇସେନ୍ସ ପାଇଯିବେ । ତେବେ ପୂର୍ବରୁ ଆବେଦନକାରୀମାନେ ଲାଇସେନ୍ସ ପାଇବା ପାଇଁ ଆରଟିଓ କାର୍ଯ୍ୟାଳୟକୁ ଯାଇ ଫଟୋ ଉଠାଇବା ସହ ଅନୁମୋଦନ ନେବାକୁ ପଡୁଥିଲା । ସୂଚନା ଯୋଗ୍ୟ ଥାଉ କି, ରାଜ୍ୟସରକାର ଯେକୌଣସି ଆରଟିଓରେ ଲର୍ଣ୍ଣିଂ ଲାଇସେନ୍ସ ଚୂଡାନ୍ତ ଡ୍ରାଇଭିଂ ଲାଇସେନ୍ସ ଓ ଗାଡି ରେଜିଷ୍ଟ୍ରେଶନ ପ୍ରକ୍ରିୟାର ସୁବିଧା ଉପଲବ୍ଧ କରାଯାଇଛି ।